ତିର୍ତ୍ତୋଲ ଓ ବାଲେଶ୍ୱର ଉପନିର୍ବାଚନ ପାଇଁ କଂଗ୍ରେସ ଘୋଷଣା କଲା ପ୍ରାର୍ଥୀଙ୍କ ନାଁ

1 min read
Congress Declares Candidates For Tirtol And Balasore ByPoll

ଭୁବନେଶ୍ୱର: ବିଜେପି ଓ ବିଜେଡି ପରେ ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ବାଲେଶ୍ୱର ସଦର ଆସନରୁ କଂଗ୍ରେସ ମମତା କୁଣ୍ଡୁଙ୍କ ଟିକେଟ୍ ଦେଇଥିବା ବେଳେ ତିର୍ତ୍ତୋଲରେ ହିମାଂଶୁ ମଲ୍ଲିକଙ୍କୁ ଦଳ ପ୍ରାର୍ଥୀ କରିଛି । ଏହା ପୂର୍ବରୁ ଉପନିର୍ବାଚନ ଅନୁଷ୍ଠିତ ହେଉଥିବା ଦୁଇ ଆସନ ପାଇଁ ବିଜେପି ଓ ବିଜେଡି ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି ।

ବିଜେପି ବାଲେଶ୍ୱର ଆସନରୁ ମାନସ କୁମାର ଦତ୍ତଙ୍କୁ ପ୍ରାର୍ଥୀ କରିଥିବା ବେଳେ ଜଗତସିଂହପୁରର ତିର୍ତ୍ତୋଲରୁ ରାଜ କିଶୋର ବେହେରାଙ୍କୁ ପ୍ରାର୍ଥୀ କରିଛି । ମାନସ କୁମାର ଦତ୍ତ ହେଉଛନ୍ତି ପୂର୍ବତନ ବିଧାୟକ ମଦନ ମୋହନ ଦତ୍ତଙ୍କ ପୁଅ । ଅନ୍ୟପଟେ ବାଲେଶ୍ୱର ସଦର ଆସନରୁ ବିଜେଡି ସ୍ୱରୂପ କୁମାର ଦାସଙ୍କୁ ପ୍ରାର୍ଥୀ କରିଛି । ସେହିପରି ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ସ୍ୱର୍ଗୀୟ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ଟିକେଟ ଦେଇଛି ବିଜେଡି ।

ଉପନିର୍ବାଚନ ପାଇଁ ନାମାଙ୍କନ ଆସନ୍ତା ୧୬ ତାରିଖ ଯାଏଁ ଚାଲିବ । ପ୍ରାର୍ଥୀମାନେ ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା ଭିତରେ ନାମାଙ୍କନପତ୍ର ଦାଖଲ କରି ପାରିବେ । ୧୭ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ହେବ । ୧୯ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ନଭେମ୍ବର ୩ ତାରିଖରେ ହେବ ଭୋଟ୍‌ ଗ୍ରହଣ । ନଭେମ୍ବର ୧୦ ତାରିଖରେ ଭୋଟ ଗଣତି ହୋଇ ଫଳ ପ୍ରକାଶ ପାଇବ । ଉପନିର୍ବାଚନ ଭୋଟିଂ ପାଇଁ ରାଜନୈତିକ ବାତାବରଣ ଉଷ୍ମ ରହିଥିବା ବେଳେ ମୁଖ୍ୟତଃ ବିଜେଡି-ବିଜେପି ମଧ୍ୟରେ ଟକ୍କର ହେବା ନେଇ ଆଶା କରାଯାଉଛି ।

Leave a Reply