ଜିଲ୍ଲା ସଙ୍ଗଠନର ନବକଳେବର କଲା କଂଗ୍ରେସ, ଯୁବ ଓ ମହିଳାଙ୍କୁ ପ୍ରାଧାନ୍ୟ

ନନ୍ଦିଘୋଷ ବ୍ୟୁରୋ: ଜିଲ୍ଲା କଂଗ୍ରେସ ସଙ୍ଗଠନରେ ହୋଇଛି ନବକଳେବର । ସଙ୍ଗଠନ ସୃଜନ ଅଭିଯାନ ଜରିଆରେ ନୂଆ ଜିଲ୍ଲା ମୁଖିଆ ଘୋଷଣା କରିଛି ଦଳ । ଟିମରେ ଯୁବ ଓ ମହିଳାଙ୍କୁ ପ୍ରାଧାନ୍ୟ ଦିଆଯାଇଛି । ତୃଣମୂଳ ସଙ୍ଗଠନକୁ ମଜବୁତ କରିବା ପାଇଁ କଂଗ୍ରେସ ୩୫ଟି ସାଙ୍ଗଠନିକ ଜିଲ୍ଲାର ସଭାପତିଙ୍କୁ ଗୁରୁଦାୟିତ୍ବ ଦେଇଛି । କ୍ଷମତାକୁ ଫେରିବା ପାଇଁ କଂଗ୍ରେସର ନୂଆ ଫର୍ମୁଲାକୁ ନେଇ ଜୋସରେ ରହିଛି ଦଳ ।

କେନ୍ଦ୍ରାପଡାରେ ଦେବସ୍ମିତା ଶର୍ମା, ନବରଙ୍ଗପୁରରେ ଲିପିକା ମାଝୀ, କେନ୍ଦୁଝରରେ ମନୋଜ ଜେନା, ଖୋର୍ଦ୍ଧାରେ ରାଜୀବ ପଟ୍ଟନାୟକ, କୋରାପୁଟରେ ରୂପକ ତୁରୁକ ଓ ଭଦ୍ରକରେ ନଳିନୀକାନ୍ତ ମହାନ୍ତି । ଉପକୂଳରୁ ଦକ୍ଷିଣ ଯାଏଁ ସବୁଠି ଯୁବ ଚେହେରାଙ୍କୁ ଭରସା କରିଛି ଏଆଇସିସି । ସଙ୍ଗଠନ ସୃଜନ ଅଭିଯାନ ଜରିଆରେ ୩୫ଟି ସାଙ୍ଗଠନିକ ଜିଲ୍ଲାରେ ନିଯୁକ୍ତ ହୋଇଥିବା ଜିଲ୍ଲା ସଭାପତି ତାଲିକାରେ ଯୁବ ଓ ମହିଳାଙ୍କୁ ଅଗ୍ରାଧିକାର ଦେଇଛି ଦଳ । ଯୁବ ନେତୃତ୍ବଙ୍କ ହାତରେ ଗୁରୁଦାୟିତ୍ବ ଦେଇ ଏଆଇସିସି ଦୁର୍ବଳ ସଙ୍ଗଠନକୁ ମଜବୁତ କରିବାକୁ ଲକ୍ଷ୍ୟ ରଖିଛି ।

ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ହେଉ ହେଉ ବିଜେପି ସରକାରକୁ ଗାଦିଚ୍ୟୁତ କରିବାକୁ ଆହ୍ବାନ ଦେଇଛନ୍ତି ଯୁବ ସଭାପତି । ଗାଁ ଗାଁରେ ଦଳକୁ କିପରି ମଜବୁତ କରାଯିବ, ତା’ ଉପରେ ଜିଲ୍ଲା ସଭାପତିମାନେ କାମ କରିବେ ବୋଲି କହିଛନ୍ତି ।

କେବଳ ଯୁବ ଓ ମହିଳା ନୁହନ୍ତି । ବହୁ ଜିଲ୍ଲାରେ ବିଧାୟକଙ୍କୁ ମଧ୍ୟ ଜିଲ୍ଲା ସଙ୍ଗଠନର ଗୁରୁ ଦାୟିତ୍ବ ଦେଇଛି କଂଗ୍ରେସ । ଗଞ୍ଜାମରେ ରମେଶ ଜେନା, ରାୟଗଡାରେ ଆପଲ୍ଲା ସ୍ବାମୀ କାଡ୍ରାକା, ଗଜପତିରେ ଦାଶରଥୀ ଗମାଙ୍ଗଙ୍କୁ ଭରସା କରିଛି ଦଳ । ସେହିପରି ଆଉ କିଛି ଜିଲ୍ଲାରେ ବରିଷ୍ଠ ନେତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ସେମାନଙ୍କ ପୁଅ, ଝିଅ ଓ ଘନିଷ୍ଠ ସହଯୋଗୀଙ୍କୁ ମଙ୍ଗ ସମ୍ଭାଳିବାକୁ ଦାୟିତ୍ବ ଦେଇଛି ଏଆଇସିସି । ୩୫ଟି ସାଙ୍ଗଠନିକ ଜିଲ୍ଲା ସଭାପତିଙ୍କ ନିଯୁକ୍ତି ଦଳରେ ଅନ୍ତଃକନ୍ଦଳକୁ ଦୂର କରିବ ବୋଲି ଆଶା ରଖିଛନ୍ତି ନେତା । ଖୁବଶୀଘ୍ର ବ୍ଲକ ଓ ନଗର ସଭାପତି ଚୟନ କରାଯିବ ବୋଲି କହିଛି ଦଳ ।

ନୂଆ ନେତାଙ୍କୁ ଜିଲ୍ଲା ସଙ୍ଗଠନ ମଙ୍ଗୁଆଳ କରି ଦଳ ଦେଇଛି ବଡ଼ ବାର୍ତ୍ତା । ଦୁର୍ବଳ କଂଗ୍ରେସ ସଙ୍ଗଠନକୁ ଶକ୍ତିଶାଳୀ କରିବାକୁ ଯେଉଁମାନେ ନିଷ୍ଠାର ସହ କାମ କରିବେ, ସେମାନଙ୍କୁ ଦିଆଯିବ ଗୁରୁତ୍ବ ।