ନୂଆପଡ଼ା ଉପନିର୍ବାଚନ ପରିଚାଳନା ପାଇଁ କଂଗ୍ରେସକୁ ଘାରିଛି ଅର୍ଥ ଚିନ୍ତା

ନନ୍ଦିଘୋଷ ବ୍ୟୁରୋ: ନିର୍ବାଚନ ପରିଚାଳନା ପାଇଁ କଂଗ୍ରେସକୁ ଘାରିଛି ଅର୍ଥ ଚିନ୍ତା । ନୂଆପଡା ଉପ ନିର୍ବାଚନରେ ଦଳୀୟ ନେତୃବୃନ୍ଦଙ୍କ ସହଯୋଗରେ ନିର୍ବାଚନ ଲଢ଼ିବାକୁ ଅଣ୍ଟା ଭିଡିଛି ପିସିସି । କଂଗ୍ରେସ ନେତୃବୃନ୍ଦ କଂଗ୍ରେସକୁ ଆର୍ଥିକ ସହଯୋଗ କରିବାକୁ ଦଳ ଅପିଲ କରିଛି । ପିସିସି କୋଷାଧ୍ୟକ୍ଷ କହିଛନ୍ତି, ସମସ୍ତଙ୍କୁ ଉପନିର୍ବାଚନରେ ସକ୍ରିୟ ଭାବେ ସାମିଲ କରିବାକୁ ଏପରି ଚିଠି ହୋଇଛି । ଯାହାକୁ ନେଇ ଭିନ୍ନ ଭିନ୍ନ ମତ ରଖିଛନ୍ତି କଂଗ୍ରେସ ନେତା ।

୨୫ ବର୍ଷ ହେବ କ୍ଷମତା ବାହାରେ ରାଜ୍ୟ କଂଗ୍ରେସ । ଦଳୀୟ ପାଣ୍ଠି ସମୁଦ୍ରକୁ ଶଙ୍ଖେ । ସଙ୍ଗଠନକୁ ତୃଣମୂଳସ୍ତରରେ ଅଧିକ  କ୍ରିୟାଶୀଳ କରିବାକୁ ଅଣ୍ଟା ଭିଡ଼ିଛି ଦଳ । ଦଳୀୟ କାର୍ଯ୍ୟକ୍ରମ ସହ ନିର୍ବାଚନ ପରିଚାଳନାରେ କଂଗ୍ରେସର ସମସ୍ତ ନେତା ଓ କର୍ମୀ କିପରି ସକ୍ରିୟ ଭାବେ ସାମିଲ ହେବେ ସେ ଚିନ୍ତା ପିସିସିକୁ ଘାରିଛି । ନୂଆପଡ଼ା ଉପନିର୍ବାଚନ ପରିଚାଳନା ପାଇଁ କଂଗ୍ରେସକୁ ଅର୍ଥ ଅଭାବ ରହିଛି । ଅର୍ଥ ଅଭାବକୁ ପୂରଣ କରିବାକୁ ଦଳୀୟ ନେତା ଓ କର୍ମୀଙ୍କ ସହଯୋଗ ଲୋଡ଼ିଛି ପିସିସି । ଯେଉଁମାନେ ଆର୍ଥିକ ସହଯୋଗ କରିବାକୁ ଚାହୁଁଛନ୍ତି, ସେମାନେ ପିସିସି କୋଷାଧକ୍ଷ ସିଦ୍ଧାର୍ଥ ସ୍ବରୂପ ଦାସଙ୍କୁ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ଏଥିପାଇଁ ଦଳ ପକ୍ଷରୁ ଫୋନ ନମ୍ବର ମଧ୍ୟ ଜାରି ହୋଇଛି । ନିର୍ବାଚନ ପାଇଁ ଅର୍ଥର ଆବଶ୍ୟକ ସହ ପ୍ରତ୍ୟେକ କର୍ମୀ କିପରି ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେବେ ସେନେଇ ମଧ୍ୟ ଚିଠି କରାଯାଇଛି ବୋଲି କହିଛନ୍ତି କୋଷାଧ୍ୟକ୍ଷ ।

ନୂଆପଡ଼ା ଉପ ନିର୍ବାଚନ ପାଇଁ ଷ୍ଟାର ପ୍ରଚାର ତାଲିକା, ନେତାଙ୍କ ଯିବା ପାଇଁ ନେଇ ନିର୍ଦ୍ଦିଷ୍ଟ ନୀତିକୁ ନେଇ ଦଳରେ ଦେଖାଦେଇଛି ଅସନ୍ତୋଷ । ତେବେ ନୂଆପଡ଼ାରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛନ୍ତି କଂଗ୍ରେସ ନେତା ।

ଉପ ନିର୍ବାଚନରେ କଂଗ୍ରେସର ଟ୍ରାକ ରେକର୍ଡ ସେତେଟା ଭଲ ନାହିଁ । ଲକ୍ଷ୍ମୀପୁର, ତଳସରା ଉପନିର୍ବାଚନ ପରେ ଆଜି ଯାଏଁ ଯେତେ ଉପନିର୍ବାଚନ ହୋଇଛି, ସବୁଥିରେ ପରାଜୟର ସ୍ବାଦ ଚାଖିଛି କଂଗ୍ରେସ । ଏବେ ନୂଆପଡା ଉପନିର୍ବାଚନକୁ ନେଇ ପିସିସି ପୂରା ଜୋସରେ ଥିବା ବେଳେ, ଦଳର ଚିନ୍ତା ବଢ଼ାଇଛି ଅର୍ଥ ସମସ୍ୟା ।