ବିଜେପିର ବି-ଟିମ୍ କଂଗ୍ରେସ, ଅପ୍ରସଙ୍ଗକୁ କରୁଛି ଅନୁକରଣ

1 min read

ଭୁବନେଶ୍ୱର: ରାଜ୍ୟ କଂଗ୍ରେସକୁ ଡିଆଁ ରୋଗ ! କରୋନା ପରି ସଂକ୍ରମଣ ବିଜେପିରୁ କଂଗ୍ରେସକୁ ବ୍ୟାପୁଛି। ସଂକ୍ରମଣ ଏତେ ହେଲାଣି ଯେ, ରାଜ୍ୟ କଂଗ୍ରେସ ଏବେ ବିଜେପିର ବି-ଟିମ୍ ପରି କାମ କରୁଛି । ରାଜ୍ୟ ବିଜେପି ଉଠାଉଥିବା ଅପ୍ରସଙ୍ଗକୁ ରାଜ୍ୟ କଂଗ୍ରେସ ନେତାମାନେ ଅନୁକରଣ କରୁଥିବା ଅଭିଯୋଗ ହେଉଛି । ୧୩୯ ବର୍ଷ ପୁରୁଣା ଦଳର ଏପରି ଅବସ୍ଥା ଦେଖି ରାଜ୍ୟବାସୀ ବି ଚକିତ । କେନ୍ଦ୍ରରେ ବିଜେପି-କଂଗ୍ରେସ ଅହିନକୂଳ ସମ୍ପର୍କ । ଦେଶକୁ କଂଗ୍ରେସ ମୁକ୍ତ କରିବାକୁ ବିଜେପି ନାରା ଦେଉଥିବା ବେଳେ ରାଜ୍ୟରେ କଂଗ୍ରେସ ନେତାଙ୍କ ଆଭିମୁଖ୍ୟ କିନ୍ତୁ ଭିନ୍ନ । ବିଜେପି ସହ ହାତ ମିଳାଇ ଓଡ଼ିଶାକୁ କଂଗ୍ରେସ ମୁକ୍ତ କରିବାକୁ କଂଗ୍ରେସ ନେତାମାନେ ସଂକଳ୍ପ ନେଇଥିବା ସନ୍ଦେହ ସୃଷ୍ଟି ହେଉଛି । ସମ୍ବଲପୁରରେ ରାମନବମୀରେ ସାଂପ୍ରାଦାୟିକ ସ୍ଥିତି ସୃଷ୍ଟି କରିବାକୁ ଉଦ୍ୟମ କରାଗଲା । ଯଦିଓ ସ୍ଥାନୀୟ ଲୋକଙ୍କ ଯୋଗୁ ସେ ସ୍ଥିତି ପ୍ରଶମିତ ହେଲା । କିନ୍ତୁ ସେଠାରେ କଂଗ୍ରେସର ଭୂମିକାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବାହାନଗା ରେଳ ଦୁର୍ଘଟଣା ପରେ ୪ରୁ ୫ ଜଣ କଂଗ୍ରେସ ନେତା ପର୍ଯ୍ୟଟକଙ୍କ ଭଳି ବୁଲି ଦାୟିତ୍ବ ସାରିଦେଲେ । ବାହାନାଗା ଭଳି ସମ୍ବେଦନଶୀଳ ଘଟଣାରେ କେନ୍ଦ୍ରକୁ ଯେଭଳି କାଠଗଡାରେ ଛିଡା କରାଯିବା ସେଥିରେ ଦଳୀୟ ନେତାମାନେ ସାଲିସ କରିଥିବା ସ୍ପଷ୍ଟ ଦୃଶ୍ୟମାନ ହେଉଥିଲା । ସମୀକ୍ଷକଙ୍କ ମତରେ ମହାନଦୀ ଜଳ ବିବାଦ ହେଉ କି ରାଜ୍ୟ ସ୍ବାର୍ଥ ସମ୍ବଳିତ ଅନ୍ୟାନ ପ୍ରସଙ୍ଗରେ ମଧ୍ୟ କେନ୍ଦ୍ର ଉପରେ ଚାପ ସୃଷ୍ଟି କରିବାକୁ ପଛଘୁଞ୍ଚା ଦେଉଛନ୍ତି ରାଜ୍ୟ କଂଗ୍ରେସ ନେତା ।

କେବଳ ପ୍ରଚାର ଓ ବିବୃତି ପାଇଁ ବିକ୍ଷୋଭ କରି ସ୍ମାରକପତ୍ରରେ ଦାୟିତ୍ବ ତୁଲାଉଛି କଂଗ୍ରେସ । ରାଜ୍ୟ କଂଗ୍ରେସ ଏବେ କେବଳ ବିବୃତି ସର୍ବସ୍ବ ଦଳରେ ପରିଣତ ହୋଇଛି ବୋଲି ଅନୁଭବ କଲେଣି ସମୀକ୍ଷକ। ଗଣତନ୍ତ୍ରରେ ସରକାରରେ ଅଙ୍କୁଶ ଲଗାଇବା ବା ନିୟନ୍ତ୍ରଣ କରିବା ଦାୟିତ୍ବ ବିରୋଧୀ ଦଳର । ନିର୍ବାଚନ ହେଉକି ଉପନିର୍ବାଚନ ଦ୍ବିତୀୟ ସ୍ଥାନରେ ରହିବାକୁ କଂଗ୍ରେସ ବିଜେପି ସହିତ ପ୍ରତିଯୋଗିତ ଚଳାଇଛି । ସମୀକ୍ଷକଙ୍କ ମତରେ କିନ୍ତୁ ରାଜ୍ୟକୁ କଂଗ୍ରେସ ମୁକ୍ତ କରିବାକୁ ଯେପରି ଦୁଇ ଜାତୀୟ ଦଳ ମଧ୍ୟରେ ଅଘୋଷିତ ମେଣ୍ଟ ହୋଇଛି ।

ବୁଡ଼ିଗଲା ଗୋଡ ତଳକୁ ତଳ । ଏବେ ରାଜ୍ୟ କଂଗ୍ରେସର ଦଶା ଓ ଦିଶା ଠିକ୍ ସେମିତି । ନିର୍ବାଚନ ହେଉ କି ଉପନିର୍ବାଚନ ବିଜେପିକୁ ଭିତିରି ସହଯୋଗ କରିବାକୁ ଯାଇ ରାଜ୍ୟ କଂଗ୍ରେସ ନିଜର ସତ୍ତା ହରାଇଲାଣି । ରାଷ୍ଟ୍ରୀୟ ସ୍ତରରେ ରାହୁଲ ଗାନ୍ଧି ଭାରତ ଯୋଡ଼ୋ ଯାତ୍ରା କରି କଂଗ୍ରେସକୁ ସଂଜୀବନୀ ଦେବାକୁ ଉଦ୍ୟମ କରୁଥିବାବେଳେ ରାଜ୍ୟରେ କଂଗ୍ରେସ ନେତା ବିଜେପିର ଅପ୍ରାସଙ୍ଗିକ ପ୍ରସଙ୍ଗରେ ଥେଇ ଥେଇ ହୋଇ ନାଚିବ ସହ ନିଜକୁ କୃତ୍ୟକୃତ୍ୟ ମନେ କରୁଥିବା ଚର୍ଚ୍ଚା ହେଉଛି ।