କଂଗ୍ରେସ୍ ଜାରି କଲା ନିର୍ବାଚନୀ ଇସ୍ତାହାର, ୫ ନ୍ୟାୟ ସହିତ ଦେଲା ୨୫ ଗ୍ୟାରେଣ୍ଟି

1 min read

ନୂଆଦିଲ୍ଲୀ: କଂଗ୍ରେସ ଜାରି କଲା ନିର୍ବାଚନୀ ଇସ୍ତାହାର। ଲୋକସଭା ନିର୍ବାଚନ ପାଇଁ ଶୁକ୍ରବାର ଦିନ ଘୋଷଣା ପତ୍ର ଜାରି କରିଛି କଂଗ୍ରେସ। ନ୍ୟାୟ ପତ୍ର ନାଁରେ ଘୋଷଣା ପତ୍ର ଜାରି କରାଯାଇଛି। କଂଗ୍ରେସ ଏହାର ମନିଫେଷ୍ଟୋରେ ଅନେକ ପ୍ରକାରର ଗ୍ୟାରେଣ୍ଟି ଅନ୍ତର୍ଭୁକ୍ତ କରିଛି।  ୫ ନ୍ୟାୟ ଓ ୨୫ ଗ୍ୟାରେଣ୍ଟି ରହିଛି ଏହି ନିର୍ବାଚନୀ ଇସ୍ତାହାରରେ।

ଇସ୍ତାହାରରେ ପାଞ୍ଚଟି ନ୍ୟାୟ ଉପରେ ଗୁରୁତ୍ବ ଦିଆଯାଇଛି । ସେଗୁଡିକ ହେଲା ଯୁବ ନ୍ୟାୟ, ନାରୀ ନ୍ୟାୟ, କିଷାନ ନ୍ୟାୟ, ଶ୍ରମିକ ନ୍ୟାୟ ଓ ଭାଗୀଦାରୀ ନ୍ୟାୟ । ନୂଆଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟରେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ସାଧାରଣ ସମ୍ପାଦକ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଘୋଷଣା ପତ୍ର ଜାରି କରାଯାଇଛି। ଏହି ସମୟରେ କଂଗ୍ରେସ ନେତା ପି ଚିଦାମ୍ବରମ୍ ମଧ୍ୟ ଉପସ୍ଥିତ ଥିଲେ। ଯୁବକଙ୍କୁ ଚାକିରି ଗ୍ୟାରେଣ୍ଟି ଓ ଗରିବ ମହିଳାଙ୍କୁ ବାର୍ଷିକ ୧ ଲକ୍ଷ ଟଙ୍କାର ସହାୟତା ପ୍ରଦାନ ଭଳି ଗ୍ୟାରେଣ୍ଟି ଦେଇଛି କଂଗ୍ରେସ।  କୃଷକଙ୍କ ଋଣ ଛାଡ଼ କରାଯିବା ସହ ରୋଜଗାର ଓ ଟ୍ୟାକ୍ସ ସୁଧାର ଉପରେ ଗୁରୁତ୍ବ ଦିଆଯାଇଛି।

ଜାତି ଜନଗଣନା ପ୍ରତିଶ୍ରୁତି, ଓପିଏସ ପ୍ରତିଶ୍ରୁତି, ୩୦ ଲକ୍ଷ ସରକାରୀ ଚାକିରି, ଗରିବ ମହିଳାଙ୍କୁ ଲକ୍ଷେ ଟଙ୍କା ସହ ୪୫୦ ଟଙ୍କାରେ ରୋଷେଇ ସିଲିଣ୍ଡର ଯୋଗାଇ ଦେବାକୁ ଗ୍ୟାରେଣ୍ଟି ଦେଇଛି କଂଗ୍ରେସ । ଚାକିରିରେ ୫୦ ପ୍ରତିଶତ ମହିଳା ସଂରକ୍ଷଣ ପାଇଁ ମଧ୍ୟ ଘୋଷଣା କରାଯାଇଛି। ଏହା ସହିତ କୃଷକମାନଙ୍କ ପାଇଁ ସ୍ୱାମୀନାଥନ ଫର୍ମୁଲା ସହିତ ଏମଏସପି ର ଆଇନଗତ ଗ୍ୟାରେଣ୍ଟି, ଶ୍ରମିକମାନଙ୍କ ପାଇଁ ୨୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟସେବା ଗ୍ୟାରେଣ୍ଟି, ମାଗଣା ଚିକିତ୍ସା, ହସ୍ପିଟାଲ, ଡାକ୍ତର, ଔଷଧ, ଅସ୍ତ୍ରୋପଚାର ପାଇଁ ଗ୍ୟାରେଣ୍ଟି ଘୋଷଣା କରାଯାଇଛି। ଆହୁରି ମଧ୍ୟ ଯେଉଁମାନଙ୍କର ଜମି ନାହିଁ ସେମାନଙ୍କୁ ଜମି ଦେବା ପାଇଁ ମଧ୍ୟ ପ୍ରତିଶୃତି ଦିଆଯାଇଛି।

କଂଗ୍ରେସର ମହିଳା ନ୍ୟାୟ ‘ଗ୍ୟାରେଣ୍ଟି’

  • ଗରିବ ପରିବାରର ଜଣେ ମହିଳାଙ୍କୁ ପ୍ରତିବର୍ଷ ୧ ଲକ୍ଷ ଟଙ୍କା
  • କେନ୍ଦ୍ର ସରକାରଙ୍କ ନୂଆ ଚାକିରିରେ ୫୦ ପ୍ରତିଶତ ମହିଳା ସଂରକ୍ଷଣ
  • ଆଶା, ମଧ୍ୟାହ୍ନ ଭୋଜନ, ଅଙ୍ଗନୱାଡି କର୍ମୀଙ୍କୁ ଅଧିକ ଦରମା
  • କାର୍ଯ୍ୟରତ ମହିଳାମାନଙ୍କ ପାଇଁ ଅଧିକ ହଷ୍ଟେଲ

କଂଗ୍ରେସର କୃଷକ ନ୍ୟାୟ ‘ଗ୍ୟାରେଣ୍ଟି’

  • ସ୍ୱାମୀନାଥନ ଫର୍ମୁଲା ସହିତ MSP ର ଆଇନଗତ ଗ୍ୟାରେଣ୍ଟି
  • ଋଣ ଛାଡ ଯୋଜନା କାର୍ଯ୍ୟକାରୀ କରିବାକୁ ବନିବ ଆୟୋଗ
  • ଫସଲ ନଷ୍ଟ ହେଲେ ୩୦ ଦିନ ମଧ୍ୟରେ ଟଙ୍କା ଟ୍ରାନ୍ସଫର
  • କୃଷକଙ୍କ ସହ ପରାମର୍ଶ ପରେ ନୂତନ ଆମଦାନୀ-ରପ୍ତାନି ନୀତି
  • ଚାଷ ପାଇଁ ଅତ୍ୟାବଶ୍ୟକ ସମସ୍ତ ଜିନିଷରୁ ଜିଏସଟି ହଟିବ

କଂଗ୍ରେସର ଶ୍ରମ ନ୍ୟାୟ ‘ଗ୍ୟାରେଣ୍ଟି’

  • ଦୈନିକ ମଜୁରୀ ୪୦୦ ଟଙ୍କା, MNREGA ମଧ୍ୟ ଅନ୍ତର୍ଭୁକ୍ତ
  • ୨୫ଲକ୍ଷ ଟଙ୍କାର ହେଲ୍ଥ୍ କଭର
  • ସହର ପାଇଁ MNREGA ଭଳି ନୂତନ ନୀତି
  • ଅସଂଗଠିତ ଶ୍ରମିକଙ୍କ ପାଇଁ ଜୀବନ ଏବଂ ଦୁର୍ଘଟଣା ବୀମା

କଂଗ୍ରେସର ‘ଭାଗୀଦାରୀ’ ଗ୍ୟାରେଣ୍ଟି

  • ସାମ୍ବିଧାନିକ ସଂଶୋଧନ ମାଧ୍ୟମରେ ୫୦ ପ୍ରତିଶତ ସୀମା ହଟାଯିବ
  • SC / ST / OBC କୁ ପୂର୍ଣ୍ଣ ଅଧିକାର
  • ଯେତେ SC / ST ଜନସଂଖ୍ୟା, ସେତେ ବଜେଟ୍
  • ଜଙ୍ଗଲ ଅଧିକାର ଆଇନ ଅନ୍ତର୍ଗତରେ ଆସୁଥିବା ଜମି ପଟ୍ଟା ଉପରେ ୧ ବର୍ଷ ମଧ୍ୟରେ ନିଷ୍ପତ୍ତି