’ବରିଷ୍ଠ ନେତାମାନେ ଏକଜୁଟ ହୋଇ ଦଳ ପାଇଁ କାମ କଲେ ରାଜ୍ୟରେ କଂଗ୍ରେସ କ୍ଷମତାକୁ ଫେରିବ’

କଂଗ୍ରେସକୁ ବରିଷ୍ଠ କଣ୍ଟା । ସୁଧୁରି ଯିବାକୁ ବେଣୁଗୋପାଳଙ୍କ ପରାମର୍ଶ । ଭକ୍ତ କହିଲେ, ସଙ୍ଗଠିତ ହୁଅନ୍ତୁ ବରିଷ୍ଠ । ଜୟଦେବ ଓ କାଡାମ ମିଳାଇଲେ ସ୍ବର । ରାଜ୍ୟରେ ୨୫ ବର୍ଷ ହେବ କ୍ଷମତା ବାହାରେ କଂଗ୍ରେସ। ଦଳର ଭୋଟହାର ୩୩ ପ୍ରତିଶତରୁ ଖସି ୧୩ ପ୍ରତିଶତରେ ପହଞ୍ଚିଛି। ସଙ୍ଗଠନ ଅଛି, ହେଲେ ଦଳରେ ନାହିଁ ଏକତା। ଯାହା କଂଗ୍ରେସ କ୍ଷମତାକୁ ଫେରିବାରେ ବାଧକ ସାଜୁଛି। ବରିଷ୍ଠ ନେତାମାନେ ଏକଜୁଟ ହୋଇ ଦଳ ପାଇଁ କାମ କଲେ ରାଜ୍ୟରେ କଂଗ୍ରେସ ଶକ୍ତିଶାଳୀ ହେବ ଓ କ୍ଷମତାକୁ ଫେରିବ। ସୃଜନ ଅଭିଯାନ ଶେଷ ପରେ ସାଙ୍ଗଠନିକ ସ୍ଥିତିର ସମୀକ୍ଷା କରି ଏପରି ବାର୍ତ୍ତା ଦେଇଛନ୍ତି ଏଆଇସିସି ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଳ। ତାଙ୍କ କହିବା କଥା, ଦଳରେ କେହି ବଡ଼ କି ଛୋଟ ନେତା ନାହାନ୍ତି। ସେହିପରି ବରିଷ୍ଠ ନେତା ଏକାଠି ହୋଇ କାମ କରିବା ଉପରେ ଫୋକସ ଦେଇଛନ୍ତି ପିସିସି ସଭାପତି। ସଙ୍ଗଠିତ ହୋଇ କାମ କଲେ ଦଳ ଆଗକୁ ବଢ଼ିବ ବୋଲି କହିଛନ୍ତି ଭକ୍ତ ଦାସ।
ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିବ କଂଗ୍ରେସ। ଏହାପରେ ବ୍ଲକ ଓ ନଗର ସଭାପତିଙ୍କ ନାଁ ଚୂଡାନ୍ତ କରାଯିବ। ଏଆଇସିସି ଫୋକସରେ ଓଡ଼ିଶା ଥିବାରୁ ରାହୁଲ ଗାନ୍ଧି, କଂଗ୍ରେସ ଅଧ୍ୟକ୍ଷ ଓ ଦଳର ବରିଷ୍ଠ ନେତା ବାରମ୍ବାର ଓଡ଼ିଶା ଗସ୍ତରେ ଆସୁଛନ୍ତି। ତେଣୁ ବରିଷ୍ଠ ନେତାମାନେ ଏକଜୁଟ ହେବାର ଆବଶ୍ୟକତା ରହିଛି ବୋଲି ମତ ରଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଓ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା। ଗୁଜରାଟ ଢାଞ୍ଚାରେ ରାହୁଲ ଗାନ୍ଧି ଓଡ଼ିଶାରେ ସଙ୍ଗଠନ ସୃଜନ ଅଭିଯାନ ଜରିଆରେ ତୃଣମୂଳ ସ୍ତରରେ ଦଳକୁ ମଜବୁତ କରିବାକୁ ଅଣ୍ଟା ଭିଡିଛନ୍ତି। ହେଲେ ଓଡ଼ିଶାରେ ବରିଷ୍ଠ ନେତାଙ୍କ ମନ ଏକ ହୋଇ ପାରୁନଥିବାରୁ, ଚିନ୍ତାରେ ପଡ଼ିଛି ଏଆଇସିସି।