ଆମେରିକା ସହ ଡ୍ରୋନ୍ ଡିଲରେ ଭ୍ରଷ୍ଟାଚାରର ଗନ୍ଧ: କଂଗ୍ରେସର ପ୍ରଶ୍ନ ୪ ଗୁଣା ଅଧିକ ଦାମରେ କିଣିବା କାହା ସ୍ବାର୍ଥରେ ?

1 min read

ନୂଆଦିଲ୍ଲୀ: ରାଫେଲ ପରେ ପ୍ରତିରକ୍ଷା ଡିଲକୁ ନେଇ ଉଠିଲା ପ୍ରଶ୍ନ । ଆମେରିକା ସହ ପ୍ରିଡେଟର ଡ୍ରୋନ ଡିଲକୁ ନେଇ ଭାରତ ସରକାରଙ୍କୁ ଘେରିଛି କଂଗ୍ରେସ । ଅନ୍ୟ ଦେଶ ୪ ଗୁଣା କମ୍ ଦାମରେ ସମାନ କମ୍ପାନୀର ଡ୍ରୋନ କିଣୁଥିବା ବେଳେ ଡ୍ରୋନ ପିଛା ୧୧୦ ମିଲିୟନ ଡଲାର ବା ୮୮୦ କୋଟି ଟଙ୍କାରେ କିଣିବାକୁ ଚୁକ୍ତି କରିଛନ୍ତି କେନ୍ଦ୍ର ସରକାର । ୩୧ଟି ଡ୍ରୋନ କ୍ରୟ ପାଇଁ ୨୫ ହଜାର କୋଟି ଟଙ୍କାର ଡିଲ ହୋଇଛି । ବ୍ରିଟେନ, ସ୍ପେନ, ତାଇଓ୍ବାନ, ଇଟାଲୀ ଆଦି ରାଷ୍ଟ୍ର ୪ ଗୁଣା କମ୍ ଦାମରେ ଆମେରିକା ସହ ଏହି ଡିଲ କରିଛନ୍ତି । ଆଉଟ ଡେଟେଡ୍‌ ହୋଇସାରିଥିବା ଏହି ଡ୍ରୋନ କିଣିବାକୁ ସରକାର କାହିଁକି ହଜାର ହଜାର କୋଟିର ଡିଲ କରିଛନ୍ତି ବୋଲି ପ୍ରଶ୍ନ କରିଛି କଂଗ୍ରେସ ।

ଏହାଛଡ଼ା ମେକ ଇନ ଇଣ୍ଡିଆରେ ରୁସ୍ତମ ଏବଂ ଘାତକ ଡ୍ରୋନ ପାଇଁ DRDOକୁ ୧୭୮୬ କୋଟି ଟଙ୍କା ଦେଇଛନ୍ତି କେନ୍ଦ୍ର ସରକାର । ଡିଆରଡିଓକୁ ସରକାର ଅତ୍ୟାଧୁନିକ ଡ୍ରୋନ ନିର୍ମାଣ ପାଇଁ ଟଙ୍କା ଦେଉଥିବା ବେଳେ ଆମେରିକା ସହ ଡ୍ରୋନ ଡିଲ କାହିଁକି କରାଯାଇଛି ବୋଲି କଂଗ୍ରେସ ପ୍ରଶ୍ନ କରିଛି ।

ପ୍ରିଡେଟର ଡ୍ରୋନ ଆଉଟ ଡେଟେଡ୍‌ ଟେକ୍ନୋଲୋଜୀରେ ନିର୍ମିତ ଓ ଏଥିରେ ଟେକ୍ନୋଲୋଜୀ ଅପଗ୍ରେଡିଂ ସୁବିଧା ମଧ୍ୟ ନାହିଁ । ଏହାସତ୍ତ୍ବେ ଏତେ ଟଙ୍କା ଦେଇ ଡ୍ରୋନ କିଣାଯିବା ପଛରେ ସରକାରଙ୍କ ଉଦ୍ଦେଶ୍ୟକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି । ଡ୍ରୋନ କମ୍ପାନୀ ସିଇଓଙ୍କ ସହ କେନ୍ଦ୍ରର ଭିତିରି ସମ୍ପର୍କ ନେଇ ବି ସରକାରଙ୍କୁ ଘେରିଛି କଂଗ୍ରେସ ।

ଆମେରିକାଠାରୁ ୩୧ଟି ଆସ୍ତ୍ରଶସ୍ତ୍ର ଯୁକ୍ତ ମାନବ ବିହୀନ MQ-9B ରିପର ଡ୍ରୋନ ବା ପ୍ରିଡେଟର-ବି ଡ୍ରୋନ କିଣିବାକୁ ଭାରତ ସରକାର ଆଲୋଚନା କରିଛନ୍ତି । ଆସନ୍ତା ଜୁଲାଇରୁ ଏହାର ଔପଚାରିକ ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା