ସରକାରଙ୍କ ବର୍ଷ ପୂର୍ତ୍ତି ଆଗରୁ ହିସାବ ମାଗି ବର୍ଷିଲେ ବିରୋଧୀ

ଭୁବନେଶ୍ୱର: ଆସନ୍ତାକାଲି ମୋହନ ସରକାରଙ୍କୁ ବର୍ଷ ପୂରିବ। ବର୍ଷପୂର୍ତ୍ତି ଅବସରରରେ ଶାସକ ବିଜେପି ନିଜ ସଫଳତାର ଗାଥା ଓଡି଼ଶାବାସୀଙ୍କ ପାଖରେ ପହଞ୍ଚାଇବାକୁ ପାଇଁ ବଡ଼ ଯୋଜନା କରିଛି। ସେପଟେ କିନ୍ତୁ ସରକାରଙ୍କ ରିପୋର୍ଟ କାର୍ଡକୁ ନେଇ ଘେରିଛନ୍ତି ବିରୋଧୀ।
ଓଡି଼ଶାବାସୀଙ୍କୁ ସୁଶାସନ ଦେବାରେ ବିଜେପି ସରକାର ବିଫଳ। ୧୧ ପ୍ରତିଶୃତି ପାଳନ କରିଛୁ ବୋଲି ଯାହା କହୁଛନ୍ତି, ତାହା ପୁରା ମିଛ। ଏପରି ଅଭିଯୋଗ କରି ବିଜେଡି କହିଛି, ବିଜେପିର ଗୋଟେ ବି ପ୍ରତିଶୃତି କ୍ରିୟାନ୍ଵୟନ ହୋଇନାହିଁ । ଆଇନଶୃଙ୍ଖଳା ପରିସ୍ଥିତି ସଭିଙ୍କୁ ନିରାଶ କରିଛି, ନିଯୁକ୍ତି ନାହିଁ। ସାମାଜିକ ସୁରକ୍ଷାରେ ସେମିତି କିଛି ନାହିଁ। ଧାନରେ ୮୦୦ ଟଙ୍କା ବୋନସ୍ ଦେଲେ ସତ, କିନ୍ତୁ ଏତେ କଟନି ଛଟନି କଲେ ଯେ ଚାଷୀ ତ୍ରାହି ତ୍ରାହି ଡାକୁଛନ୍ତି। ଏପରିକି ଧାନ ଟଙ୍କା ପାଇବାକୁ ଚାଷୀକୁ ଆନ୍ଦୋଳନ କରିବାକୁ ପଡୁଛି। ସରକାର କହିଥିଲେ ଚାଷୀଙ୍କ ସବୁ ଧାନ କିଣିବେ, ହେଲେ କିଣିଲେ ନାହିଁ। ଏସବୁ କଣ ପ୍ରତିଶୃତି ନ ଥିଲା କି ବୋଲି ପ୍ରଶ୍ନ କରିଛନ୍ତି ବିଜେଡିର ବରିଷ୍ଠ ବିଧାୟକ ଗଣେଶ୍ଵର ବେହେରା । କଂଗ୍ରେସ ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ ବିଜେପି ବର୍ଷେ ହେଲାଣି କେବଳ ବିଜେଡିର କାମରେ ରଙ୍ଗ ଦେଇଛି । ଲୋକଙ୍କୁ ଦେଇଥିବା ପ୍ରତିଶୃତି ପାଣିର ଗାର ପାଲଟିଛି।
ବିଜେଡିର ଦାବି ହେଲା ମନ୍ତ୍ରୀମାନେ ସେମାନଙ୍କ ରିପୋର୍ଟ କାର୍ଡରେ କଣ ଲେଖିଛନ୍ତି, ତାହା ସାର୍ବଜନୀନ କରାଯାଉ। ମାଗଣା ବିଜୁଳି, ଚାଷୀଙ୍କ ଆୟ, ଚିଟଫଣ୍ଡ ଟଙ୍କା, ଦାଦନ ମୁକ୍ତ ଓଡ଼ିଶା ଆଦି ପ୍ରତିଶୃତିକୁ ମନେ ପକାଇ ଦେଇ ବିଜେଡି ଅଭିଯୋଗ କରିଛି, ସବୁଠି ବିଜେପି ସରକାର ଫେଲ। ଏ ସଂପର୍କରେ ଓଡି଼ଶାବାସୀଙ୍କୁ ଅବଗତ କରିବୁ ବୋଲି କହିଛି ବିଜେଡି। ଜବାବରେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି, ବିଜେଡି ଓ କଂଗ୍ରେସ ଯାହା ଭାବିନଥିଲେ, ତାହା ଆମେ କରିକି ଦେଖାଇଛୁ।