ତେଲେଙ୍ଗାନାରେ କଂଗ୍ରେସ ସରକାର ଗଢ଼ିଲେ ଝିଅ ବାହାଘରରେ ଦେବେ ସୁନା ଗହଣା

ନନ୍ଦିଘୋଷ ବ୍ୟୁରୋ: ଆଗକୁ ତେଲେଙ୍ଗାନା ନିର୍ବାଚନ ହେବାକୁ ଥିବାବେଳେ ବେଳେ କଂଗ୍ରେସ ପକ୍ଷରୁ ଇସ୍ତାହାର ଘୋଷଣା ହେବାକୁ ଯାଉଛି । କୁହାଯାଉଛି କି, ଏହି ଇସ୍ତାହାରରେ ଝିଅଙ୍କ ବିବାହ ପାଇଁ ଏକ ଖୁସି ଖବର ରହୁଛି । ଝିଅଙ୍କ ବିବାହ ସମୟରେ ୧୦ ଗ୍ରାମର ସୁନା ଗହଣା ଦେବା ନେଇ ନିର୍ବାଚନୀ ଇସ୍ତାହାରରେ ଘୋଷଣା କରାଯାଇପାରେ । ଏହାସହ ଛାତ୍ର ଛାତ୍ରୀମାନଙ୍କୁ ମାଗଣା ଇଣ୍ଟରନେଟ ପ୍ରଦାନ କରାଯିବ । ଏଭଳି ଅନେକ ନୂଆ ଯୋଜନା ନେଇ ଇସ୍ତାହାର ପ୍ରସ୍ତୁତ ହୋଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ତେଲେଙ୍ଗାନା କଂଗ୍ରେସ କମିଟି ସଭାପତି ଡି.ଶ୍ରୀଧରବାବୁ ଖୁବଶୀଘ୍ର ଏହି ଇସ୍ତାହାର ଘୋଷଣା କରିପାରନ୍ତି ।

ତେଲେଙ୍ଗାନାରେ ବିଆରଏସ ସରକାର ଚାଲିଛି । ଚନ୍ଦ୍ରଶେଖର ରାଓଙ୍କ ସରକାର ରାଜ୍ୟରେ କଲ୍ୟାଣ ଲକ୍ଷ୍ମୀ ଏବଂ ଶାଦି ମୁବାରକ ଯୋଜନା କରିଛନ୍ତି । ଏହି ଯୋଜନା ମାଧ୍ୟମରେ ଝିଅଙ୍କ ବିବାହ ସମୟରେ ଏକ ଲକ୍ଷ ୧୧୬ ଟଙ୍କାର ସହାୟତା ଦିଆଯାଉଛି । ଯେଉଁ ମାନଙ୍କ ମାସିକ ଆୟ ୨ ବାର୍ଷିକ ଆୟ ୨ ଲକ୍ଷରୁ କମ ସେମାନଙ୍କୁ ଏହି ଯୋଜନା ମାଧ୍ୟମରେ ସହାୟତା ଦିଆଯାଉଛି । ତେବେ ଏହି ଯୋଜନାକୁ ମାତ ଦେବା ପାଇଁ କଂଗ୍ରେସ ପକ୍ଷରୁ ଏଭଳି ଇସ୍ତାହାର ଘୋଷଣା କରାଯିବ ବୋଲି କୁହାଯାଉଛି । ବିବାହ ସମୟରେ ଝିଅଙ୍କୁ ୧ ତୁଳା ଅଥବା ୧୦ ଗ୍ରାମର ସୁନା ଗହଣା ପ୍ରଦାନ କରାଯିବ । ସେପଟେ ଏଭଳି ଚର୍ଚ୍ଚାକୁ ନେଇ କଟାକ୍ଷ କରିଛନ୍ତି ବିଆରଏସ ନେତା । କଂଗ୍ରେସ ନିର୍ବାଚନୀ ପ୍ରତିଶୃତି ପାଳନ କରିବାରେ ସବୁବେଳେ ବିଫଳ ହୋଇଥାଏ । ଏଭଳି ଅନେକ ସମାଲୋଚନା ମଧ୍ୟ କରିଛନ୍ତି ।

ସେପଟେ ବିଆରଏସ ପକ୍ଷରୁ ମଧ୍ୟ ଅନେକ ନିର୍ବାଚନୀ ପ୍ରତିଶୃତି ଦେବାକୁ ଯାଉଛି । ସ୍ବାସ୍ଥ୍ୟ ବୀମା ଏବଂ ଏଲପିଜି ଗ୍ୟାସ ଦର ହ୍ରାସ ଅଥବା ୪ଶହ ଟଙ୍କାରେ ଯୋଗା ଦେବାକୁ ପ୍ରତିଶୃତି ଦିଆଯିବ । ଦଳିତ ବନ୍ଧୁ ଯୋଜନାରେ ପ୍ରତି ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯିବ । ପେନସନ ଏବଂ ସ୍ବାସ୍ଥ୍ୟ ବୀମା ଭଳି ବହୁ ଜନହିତକର ଯୋଜନା ଘୋଷଣା କରିପାରେ ବୋଲି ଚର୍ଚ୍ଚା ହେଉଛି ।