କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ରାହୁଲଙ୍କୁ ସଭାପତି କରିବା ପାଇଁ ଉଠିଲା ଦାବି

1 min read

ନୂଆଦିଲ୍ଲୀ: ଦିଲ୍ଲୀରେ ଚାଲିଥିବା କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ରାହୁଲ ଗାନ୍ଧିଙ୍କୁ ପୁଣିଥରେ କଂଗ୍ରେସ ସଭାପତି କରିବା ପାଇଁ ଦାବି ଉଠିଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ୍ ଓ ବରିଷ୍ଠ ନେତା ଅମ୍ବିକା ସୋନି ଏହି ଦାବି କରିଛନ୍ତି । ଅନ୍ୟପକ୍ଷରେ କଂଗ୍ରେସ ସଭାପତି ପଦ ପାଇଁ ଆସନ୍ତା ବର୍ଷ ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୨୦ ମଧ୍ୟରେ ନିର୍ବାଚନ ହେବ ବୋଲି ଦଳର ମହାସଚିବ କେସି ବେଣୁ ଗୋପାଳ କହିଛନ୍ତି ।
ମୁଁ ବିଚାର କରିବି : ରାହୁଲ
ଅମ୍ବିକା ସୋନି ମିଟିଂରେ କହିଥିଲେ ଯେ,ରାହୁଲ ସଭାପତି ହେବା ସମସ୍ତେ ଚାହାନ୍ତି । ତେବେ ଏହା ତାଙ୍କ ଉପରେ ନିର୍ଭର କରୁଛି । ସୋନିଙ୍କ ପୂର୍ବରୁ ଗହଲୋତ ମଧ୍ୟ ସଭାପତି ପଦ ପାଇଁ ରାହୁଲଙ୍କ ନାମ ଉଠାଇଥିଲେ । ସେ କହିଥିଲେ ଯେ, ରାହୁଲ କଂଗ୍ରେସର ନେତୃତ୍ୱ ନେବା ଆବଶ୍ୟକ । ଦୁଇ ନେତାଙ୍କ ମତାମତ ଶୁଣିବା ପରେ ରାହୁଲ କହିଥିଲେ ଯେ,ଏହା ଉପରେ ମୁଁ ଚିନ୍ତା କରିବି ।
ମୁଁ ଫୁଲ୍ ଟାଇମ୍ ପ୍ରେସିଡେଣ୍ଟ୍ : ସୋନିଆ
ଅନ୍ୟପକ୍ଷରେ ଆଜି ସୋନିଆ ଗାନ୍ଧି ଦଳର ଅସନ୍ତୁଷ୍ଟ ଜି-୨୩ ନେତାଙ୍କୁ ପରୋକ୍ଷରେ ସନ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଯେ, ମୁଁ ଦଳର ପୁର୍ଣ୍ଣକାଳିକ ସଭାପତି । ସୂଚନାଯୋଗ୍ୟ ଯେ, ଜି-୨୩ରେ କଂଗ୍ରେସର ସେହି ୨୩ ଜଣ ନେତା ସାମିଲ ଅଛନ୍ତି ଯେଉଁମାନେ କଂଗ୍ରେସରେ ସଂସ୍କାର ଚାହୁଁଛନ୍ତି । ଏହି ୨୩ ନେତା ଗତ ବର୍ଷ ସୋନିଆଙ୍କୁ ଚିଠି ଲେଖି ଦଳରେ ସଂସ୍କାର ସହିତ ପୁର୍ଣ୍ଣକାଳିକ ସଭାପତିଙ୍କ ଆବଶ୍ୟକତା କଥା ଉଠାଇଥିଲେ । କୌଣସି ନେତାଙ୍କ ନାମ ନନେଇ ସୋନିଆ କହିଥିଲେ ଯେ, ସେ ସ୍ପଷ୍ଟ କଥାର ସମର୍ଥକ କିନ୍ତୁ ମିଡିଆ ଜରିଆରେ ତାଙ୍କ ସହିତ କେହି କଥା ନହୁଅନ୍ତୁ । ସେ କହିଥିଲେ ଯେ, ମୁଁ ଫୁଲ ଟାଇମ୍ ପ୍ରେସିଡେଣ୍ଟ୍ ଓ ସମ୍ପୂର୍ଣ୍ଣ ସକ୍ରୀୟ ଅଛି ।

Leave a Reply