ଗୋଚର ଜମିରେ ନିର୍ମାଣ କାମ: ପୁରୁଣା କାମକୁ ନୂଆ ଦେଖାଇ ଉଠୁଛି ଟଙ୍କା

1 min read

ବାଲେଶ୍ୱର: ପୁରୁଣା କାମକୁ ନୂଆ ଦେଖାଇ ଉଠାଯାଇଛି ଟଙ୍କା ।  ଗୋଚର ଜମିରେ ଚାଲିଛି ନିର୍ମାଣ କାମ । ଗୋଟିଏ ପ୍ଲଟକୁ ୩ ଭାଗରେ ଦର୍ଶାଯାଇ ଖର୍ଚ୍ଚ କରାଯାଇଛି ସରକାରୀ ଅର୍ଥ । ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକରେ ହାଟ ପିଣ୍ଡି ନିର୍ମାଣରେ ଜାଲିଆତି କରି ୩ଲକ୍ଷ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ଆସିଛି ।

ସରକାରକା ମାଲ ଦରିଆ ମେ ଡାଲ ନୀତିରେ ହଡ଼ପ ହେଉଛି ସରକାରୀ ଟଙ୍କା । ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ନକୁଳକୁଅଁର ହାଟ ପିଣ୍ଡି ନିର୍ମାଣରେ ଜାଲିଆତି ଅଭିଯୋଗ  ପୂର୍ବରୁ ଏହି ସ୍ଥାନରେ ପିଣ୍ଡି ନିର୍ମାଣ କରାଯାଇଥିଲା  ।

୨୦୧୯-୨୦ ଆର୍ଥିକ ବର୍ଷରେ ୩ଲକ୍ଷ ଟଙ୍କା ଖର୍ଚ୍ଚରେ ଅନ୍ୟ ଏକ ପିଣ୍ଡି ନିର୍ମାଣ କରିବାକୁ ପଞ୍ଚାୟତ ଅନୁମୋଦନ କରିଥିଲା  । କିନ୍ତୁ ପଞ୍ଚାୟତ ଅଧିକାରୀ ଓ ସରପଞ୍ଚଙ୍କ ସଲାସୁତୁରାରେ ପୁରୁଣା ପିଣ୍ଡିକୁ ୧୦ଫୁଟ ସମ୍ପ୍ରସାରଣ କରାଯାଇ ନୂଆ ପିଣ୍ଡି ନିର୍ମାଣ କରାଯାଇଥିବା ଦର୍ଶାଯାଇଥିବା ଅଭିଯୋଗ ହୋଇଛି  ।

ଘୋଟାଲା ନେଇ ସୂଚନା ଅଧିକାରରେ ମଗାଯାଇଥିବା ତଥ୍ୟରୁ ଜାଲିଆତି ସ୍ପଷ୍ଟ ହୋଇଛି  । ଖାତ ନମ୍ବର ୪୬୯ର ୭୩୧ ନମ୍ବର ପ୍ଲଟ ଗୋଚର କିସମର ଦର୍ଶାଯାଇଛି  । କିନ୍ତୁ ପଞ୍ଚାୟତ ଅନୁମୋଦନ ପତ୍ରରେ ଭିନ୍ନ ରିପୋର୍ଟ ଦର୍ଶାଯାଇଛି  । ଏଥିରେ ପ୍ଲଟକୁ ତିନି ଭାଗରେ ବିଭକ୍ତ କରାଯାଇ ଅନୁମୋଦନ କରାଯାଇଛି  । ସେପଟେ ଓ୍ୱାର୍କ ଅର୍ଡରେ ପଞ୍ଚାୟତ ଅଧିକାରୀଙ୍କ ନାମରେ କାର୍ଯ୍ୟାଦେଶ ଦିଆଯାଇଛି  ।

ଏଠି ପ୍ରଶ୍ନ ଉଠୁଛି ଗୋଚର ଜମିରେ କିଭଳି ଚାଲିଛି ନିର୍ମାଣ କାମ ? ପୁଣି ଗୋଟିଏ ପ୍ଲଟକୁ କିଭଳି ୩ଟି ପ୍ଲଟରେ ଭାଗ କରାଯାଇଛି ? ଜାଲିଆତି କରି ୨୦୧୯ ନଭେମ୍ବର ମାସରେ ୧ଲକ୍ଷ ୬୯ ହଜାର ୫୭୮ ଟଙ୍କା ଓ ଡିସେମ୍ବରରେ ୧ଲକ୍ଷ ୧୨ହଜାର ୫୦୧ ଟଙ୍କା ସହତି ଅନ୍ୟାନ୍ୟ ଖର୍ଚ୍ଚକୁ ମିଶାଇ ମୋଟ ୩ଲକ୍ଷ ଟଙ୍କା ଉଠାଯାଇଛି  ।

https://www.facebook.com/NandighoshaTV/videos/318681822593509/

ଏନେଇ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଅବଗତ କରାଯାଇଛି  । ତଦନ୍ତ ସହ ଏହି ଦୁର୍ନୀତିର ଗୁମର ଖୋଲିବା ଜରୁରୀ ହୋଇ ପଡିଛି  ।

Leave a Reply