ଯୁବକଙ୍କୁ ଅପହରଣ କରି ହତ୍ୟା ; ପ୍ରମାଣ ନଷ୍ଟ ପାଇଁ କାନ୍ଥରେ ମୃତଦେହ ରଖି ପ୍ଲାଷ୍ଟର

ଯୁବକଙ୍କୁ ଅପହରଣ କରି ହତ୍ୟା । ପ୍ରମାଣ ନଷ୍ଟ କରିବା ପାଇଁ କାନ୍ଥରେ ମୃତଦେହ ରଖି ପ୍ଲାଷ୍ଟର । ପଶ୍ଚିମବଙ୍ଗର ଦକ୍ଷିଣ ଦିନାଜପୁର ତପନରୁରୁ ଏଭଳି ଚାଞ୍ଚଲ୍ୟକର ଘଟଣା ସାମନାକୁ ଆସିଛି । ଯୁବକ ନିଖୋଜ ହେବାର ୧୪ ଦିନ ପରେ ପୋଲିସ ରହସ୍ୟର ଉନ୍ମୋଚନ କରିଛି । ମୃତଦେହ ଉଦ୍ଧାର କରିଛି ପୋଲିସ । ହତ୍ୟାଘଟଣାରେ ସମ୍ପୃକ୍ତ ଅଭିଯୋଗରେ ପୋଲିସ ଜଣେ ମହିଳାଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ପୋଲିସ । ମୃତ ଯୁବକ ମାଲଦା ପୁଖୁରିଆ ଥାନାର କୋକଲାମାଡ଼ି ନାଦବ ପଡ଼ାର ୩୧ ବର୍ଷୀୟ ସାଦ୍ଦାମ ନାଦବ ବୋଲି ଜଣାପଡ଼ିଛି । ସେ ପେଶାରେ ଜଣେ ଠିକାଦାର ଥିଲା । ସେ ସମ୍ପର୍କୀୟ ମୌମିତା ନାଦବଙ୍କ ଘରେ ଭଡ଼ାରେ ରହୁଥିଲେ । ସାଦ୍ଦାମ ମେ’ ୧୮ ତାରିଖରୁ ମାଲଦାରୁ ରହସ୍ୟମୟ ଭାବରେ ନିଖୋଜ ହୋଇଯାଇଥିଲେ । ୨୦ ତାରିଖରେ ପରିବାର ଲୋକ ଇଂରେଜ ବଜାର ଥାନାରେ ନିଖୋଜ ନେଇ ଅଭିଯୋଗ କରିଥିଲେ । ନିଖୋଜ ମାମଲା ଦାୟକ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା ।

ମୌମିତା ନାଦବଙ୍କୁ ଅଟକ ରଖି ପଚରାଉଚରା ସମୟରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଥିଲା । ମହିଳା ଜଣଙ୍କ ସାଦ୍ଦାମଙ୍କୁ ସେ ହତ୍ୟା କରିଥିବା ସ୍ଵୀକାର କରିଥିଲେ । ସାଦ୍ଦାମଙ୍କୁ ହତ୍ୟା ପରେ, ପ୍ରମାଣ ନଷ୍ଟ କରିବା ପାଇଁ, ମୃତଦେହକୁ ଦକ୍ଷିଣ ଦିନାଜପୁର ଜିଲ୍ଲାର ତପନ ଥାନା ଅଞ୍ଚଳରେ ଥିବା ଧ୍ରିତାଙ୍କ ବାପାଙ୍କ ଘରକୁ ନିଆଯାଇଥିଲା । ସେଠାରେ, ସାଦ୍ଦାମଙ୍କ ମୃତଦେହକୁ କାନ୍ଥ ଖୋଳାଯାଇ ପ୍ଲାଷ୍ଟର କରାଯାଇଥିଲା । ପୋଲିସ ମୃତଦେହ ଉଦ୍ଧାର କରିଥିଲେ ମଧ୍ୟ ଏହି ହତ୍ୟାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏହି ହତ୍ୟାକାଣ୍ଡରେ ଜଡ଼ିତ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ତଲାସୀ ଜାରି ରଖିଛି ପୋଲିସ । ଆର୍ଥିକ କାରବାର କିମ୍ଵା ଅନୈତିକ ସମ୍ପର୍କକୁ ନେଇ ହତ୍ୟାକାଣ୍ଡ ହୋଇଥିବା ପୋଲିସ ସନ୍ଦେହ କରୁଛି ।