ସୁରଙ୍କ ଘରେ ରାଜନୈତିକ ଝଡ଼: ଦାଣ୍ଡରେ ପଡ଼ିଲା ଦୁଇ ପୁଅଙ୍କ କଳି

ଭୁବନେଶ୍ବର: କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ଘରେ ରାଜନୈତିକ ଝଡ଼ । ଦୁଇ ପୁଅ ଫୁଲ୍ ଦମରେ ମୈଦାନକୁ ଓହ୍ଲାଇ ନାହାନ୍ତି, ହେଲେ ଉଭୟଙ୍କ ମଧ୍ୟରେ ଦେଖା ଦେଇଛି ଫାଟ । ଦୁଇ ପୁଅଙ୍କ ମଧ୍ୟରେ କଳି ଦାଣ୍ଡରେ ପଡ଼ି ହାଟରେ ଗଡୁଛି ।

ବଡ଼ଭାଇ ସିଦ୍ଧାର୍ଥ ରାଉତରାୟଙ୍କ ବିକାଶ ବିରୋଧୀ ମନ୍ତବ୍ୟକୁ କଡ଼ା ସମାଲୋଚନା କରିଛନ୍ତି ସାନଭାଇ ମନ୍ମଥ ରାଉତରାୟ । କହିଛନ୍ତି, ‘କୌଣସି ତଥ୍ୟ ନଥାଇ କିଛି ନଜାଣି କେବଳ ଖବରରେ ରହିବା ପାଇଁ ବିକାଶ ବିରୋଧୀ ମନ୍ତବ୍ୟ ଦେଉଛନ୍ତି ବିରୋଧୀ । ଭଲ କାମକୁ ଭଲ କହିବା ବଦଳରେ ରାଜ୍ୟର ଦ୍ରୁତ ବିକାଶକୁ ବିରୋଧୀ ସହି ପାରୁନାହାନ୍ତି । ବିକାଶକୁ ବିରୋଧ କରୁଥିବା ବ୍ୟକ୍ତି କଙ୍କଡ଼ା ମାନସିକତାରୟ’

ଅନ୍ୟକୁ ସମାଲୋଚନା କରି ରାଜନୀତି କରିବା ନୀତିକୁ ଆଉ ଓଡ଼ିଶାବାସୀ ଗ୍ରହଣ କରୁନାହାନ୍ତି । ଏଭଳି ପ୍ରସଙ୍ଗ ଆଉ ଆଗାମୀ ଦିନରେ କାମ କରିବନି ବୋଲି ବଡ଼ଭାଇ ସିଦ୍ଧାର୍ଥଙ୍କୁ ଚେତାଇ ଦେଇଛନ୍ତି ମନ୍ମଥ । ଏକମାସ ମଧ୍ୟରେ ନିଜ ରାଜନୈତିକ ଭବିଷ୍ୟତ ନେଇ ଓଡ଼ିଶାବାସୀଙ୍କ ନିକଟରେ ସ୍ପଷ୍ଟ କରିବେ ବୋଲି କହିଛନ୍ତି ମନ୍ମଥ ।

ଅନ୍ୟପଟେ ସୁରେଶ ରାଉତରାୟ କହିଛନ୍ତି, ‘୨୦୨୪ ନିର୍ବାଚନରେ ଦୁଇ ପୁଅ ବିଧାୟକ ପ୍ରାର୍ଥୀ ହେବେ । ସାନପୁଅ ମନ୍ମଥ ଜଟଣୀରୁ ଓ ବଡ଼ପୁଅ ସିଦ୍ଧାର୍ଥ ନିମାପଡ଼ାରୁ ନିର୍ବାଚନ ଲଢ଼ିବେ ବୋଲି ସୁର ସଙ୍କେତ ଦେଇଛନ୍ତି ।’