ବିଶ୍ବବିଦ୍ଯାଳୟର ଏନଏସଏସ କାର୍ଯ୍ୟକ୍ରମକୁ ଓଡିଆ ଅସ୍ମିତା ନାଁ ଦିଆଯିବାକୁ ନେଇ ବଢ଼ିଲା ବିବାଦ

ଭୁବନେଶ୍ବର: ଉତ୍କଳ ସଂସ୍କୃତି ବିଶ୍ବବିଦ୍ଯାଳୟରେ ଜାତୀୟ ସେବା ଯୋଜନା (ଏନଏସଏସ)ର ସାଂସ୍କୃତିକ ଉତ୍ସବକୁ ଓଡ଼ିଆ ଅସ୍ମିତା ଶିବିର ନାଁ ଦିଆଯିବାକୁ ନେଇ ବଢିଲା ବିବାଦ । ତିନି ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ବିଭାଗ ଶିକ୍ଷା ବ୍ଯବସ୍ଥାରେ ‘ଓଡ଼ିଆ ଅସ୍ମିତା’ ରାଜନୀତି ପ୍ରବେଶ କରାଇଥିବା ନେଇ ଅଭିଯୋଗ ହୋଇଛି ।

ଶିବିରରେ ସାରା ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସାମିଲ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହେଉଛି । କିନ୍ତୁ କାର୍ଯ୍ୟକ୍ରମରେ ଓଡ଼ିଆ ଅସ୍ମିତାକୁ ଯୋଡିବାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା ଆରମ୍ଭ ହୋଇଛି । ଓଡ଼ିଆ ଅସ୍ମିତା ନାରା ଦେଇ ବିଜେପି ରାଜ୍ୟରେ ଶାସନକୁ ଆସିଥିବା ବେଳେ ଓଡ଼ିଆ ଭାଷା, ଓଡ଼ିଶାର ସୀମା ସହ ଅନ୍ୟ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ କାମ କରିବା ବଦଳରେ ଓଡ଼ିଆ ଅସ୍ମିତାର ପ୍ରଚାରରେ ଲାଗି ପଡିଛି । ଏଥିରୁ ଛାତ୍ରଛାତ୍ରୀ ମଧ୍ୟ ବାଦ ପଡ଼ିନାହାନ୍ତି । ଓଡ଼ିଆ ଅସ୍ମିତା ଆଳରେ ଛାତ୍ରଛାତ୍ରୀଙ୍କୁ ଛନ୍ଦି ନିଜର ରାଜନୈତିକ ଅଭିସନ୍ଧି ପୂରଣ କରିବାକୁ ଲାଗି ପଡିଛି, ଯାହା ଆଦୌ ଉଚିତ ନୁହେଁ ବୋଲି କହିଛନ୍ତି ଶିକ୍ଷାବିତ ଓ ଓଡ଼ିଆ ଅସ୍ମିତା ପରିଷଦ । ଓଡ଼ିଆ ଭାଷାର ବହୁଳ ବ୍ୟବହାର ତଥା ଜାତୀୟ ଶିକ୍ଷା ନୀତିରେ ଓଡ଼ିଆର ବ୍ୟାପକ ବ୍ୟବହାର ନେଇ ଉଦ୍ୟମ କରାଯାଉ ବୋଲି ଦାବି ହୋଇଛି । ସେପଟେ ଓଡିଶା ଅଭିଭାବକ ମହାସଂଘ ମଧ୍ୟ ଓଡ଼ିଆ ଅସ୍ମିତା ନାଁରେ ସ୍କୁଲ କଲେଜରେ ରାଜନୀତିକରଣକୁ ବିରୋଧ କରିଛି ।