କରମଣ୍ଡଳ ଦୁର୍ଘଟଣା: ଉଦ୍ଧାର କାର୍ଯ୍ୟ ଶେଷ, ଚାଲିଛି ପୁନରୁଦ୍ଧାର କାମ

1 min read

ବାହାନଗା: କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିବା ବେଳେ ଚାଲିଛି ପୁନରୁଦ୍ଧାର କାର୍ଯ୍ୟ । ରେଳ ଲାଇନରୁ ୨୧ଟି ବଗିକୁ ହଟାଯାଇଛି । ବିଦ୍ୟୁତ୍ ଖୁଣ୍ଟି ସହ ଲାଇନ୍ ମରାମତି କାର୍ଯ୍ୟ ଚାଲିଛି । ଟ୍ରେନ୍ ଲାଇନକୁ ଖାଲି କରାଯାଉଥିବା ବେଳେ, ଟ୍ରେନ୍ ଚଳାଚଳ ସ୍ବାଭାବିକ କରିବାକୁ ପ୍ରୟାସ ଜାରି ରହିଛି ।

ପୁନରୁଦ୍ଧାର କାର୍ଯ୍ୟରେ ଆଉ ୩ ଓ୍ବାଗନକୁ ନିୟୋଜିତ କରାଯିବ । ହଜାରେ ଶ୍ରମିକ କାମରେ ଲାଗିଛନ୍ତି । ପୁନରୁଦ୍ଧାର କାମରେ ନିୟୋଜିତ ଅଛନ୍ତି ୭ ପୋକଲିନ୍ । ୨ଟି ଦୁର୍ଘଟଣା ରିଲିଫ୍ ଟ୍ରେନ୍ ଘଟଣା ସ୍ଥଳରେ କାମରେ ଲାଗିଛନ୍ତି । ଗୋଟିଏ ୧୪୦ ଟନର ରେଲୱେ କ୍ରେନ୍ ଓ ୪ଟି ରୋଡ୍ କ୍ରେନ୍ କାମରେ ଲାଗିଛନ୍ତି । ଶୀଘ୍ର ପୁନରୁଦ୍ଧାର କାମ ସରିବାକୁ ରେଳ ବିଭାଗ ପକ୍ଷରୁ ପ୍ରୟାସ ଜାରି ରହିଛି ।

ଦକ୍ଷୀଣ ପୂର୍ବ ରେଳବାଇ ପକ୍ଷରୁ ବାଲେଶ୍ବର-ହାୱଡ଼ା ଓ ଭଦ୍ରକ-ଚେନ୍ନାଇ ସ୍ବତନ୍ତ୍ର ଟ୍ରେନ୍ ଗଡ଼ିବ । ଭୟଙ୍କର ରେଳ ଦୁର୍ଘଟଣାରେ ଗଲାଣି ୨୮୮ ଜଣଙ୍କ ଜୀବନ । ଏବେବି ଅନେକ ଲୋକ ସଂକଟାପନ୍ନ ଅଛନ୍ତି । ରାଜ୍ୟ ବିଭିନ୍ନ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ୧୧ଶହ ୭୫ ଆହତଙ୍କ ଚିକିତ୍ସା ଚାଲିଛି । ଏଯାଏଁ ୭୯୩ରୁ ଅଧିକ ଆହତଙ୍କୁ ଡିସଚାର୍ଜ କରାଯାଇଛି । ସମସ୍ତଙ୍କୁ ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର ।

ଆହତମାନେ ବାଲେଶ୍ବର, ସୋର, ଯାଜପୁର ଓ ଭଦ୍ରକ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଗୁରୁତରଙ୍କୁ ଏସସିବି ସ୍ଥାନାନ୍ତର କରାଯାଇଛି । ଆହତଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି । ସେପଟେ ୧୬୦ ମୃତଦେହ ବାଲେଶ୍ବରରୁ ଭୁବନେଶ୍ବର ଅଣାଯାଇ ବିଭିନ୍ନ ଶବଗାରରେ ରଖାଯାଇଛି ।  ଶବ ଚିହ୍ନଟ ହେଲା ପରେ ଗନ୍ତବ୍ୟ ସ୍ଥଳକୁ ସମ୍ମାନର ସହ ପଠାଯିବ । ମେଡିକାଲ ଆଇନ ଅନୁସାରେ ମୃତଦେହ ଚିହ୍ନଟ ବ୍ୟବସ୍ଥା କରାଯିବ । ବର୍ତ୍ତମାନ ଶବଗୁଡିକୁ ଡିସପୋଜ କରିବା ମୁଖ୍ୟ ଚାଲେଞ୍ଜ ହେବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।

ଗତକାଲି ରେଳ ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାଲେଶ୍ବର ଜିଲ୍ଲା ହସ୍ପିଟାଲ ଯାଇ ସେଠାରେ ଆହତଙ୍କ ସହ ସ୍ବାସ୍ଥ୍ୟାବସ୍ଥା ନେଇ ଆଲୋଚନା କରିଥିଲେ । କମ୍ ସମୟ ଭିତରେ ରାଜ୍ୟ ସରକାରଙ୍କୁ ରେସ୍କ୍ୟୁ ମିଶନ ପାଇଁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଥିଲେ ପ୍ରଧାନମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଗତକାଲି ଘଟଣାସ୍ଥଳରେ ଅନୁଧ୍ୟାନ କରିବା ସହ ଆହତଙ୍କୁ ଭେଟି ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ । ଲୋକଙ୍କ ଜୀବନକୁ ସୁରକ୍ଷିତ ରଖିବାକୁ ସବୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।