୧୦ ହଜାର ଟପିଲା କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ ୧୦ ହଜାର ଟପିଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଦେଶରେ ୧୩ ହଜାର ୧୫୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ୪୩ ପ୍ରତିଶତ ବଢିଛି କରୋନା ଗ୍ରାଫ । ଯାହାକୁ ନେଇ ଚିନ୍ତା ବଢିବାରେ ଲାଗିଛି । ସେପଟେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୯୬୧ ଛୁଇଁଛି । ମହାରାଷ୍ଟ୍ର ଓ ଦିଲ୍ଲୀରେ ସଂକ୍ରମଣ ସଂଖ୍ୟା ସବୁଠୁ ଅଧିକ ରହିଛି । ମହାରାଷ୍ଟ୍ରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୫୨ରେ ପହଞ୍ଚିଛି । ଦିଲ୍ଲୀରେ ୨୬୩, ଗୁଜରାଟରେ ୯୭ , ରାଜସ୍ଥାନରେ ୬୯, କେରଳରେ ୬୫ ଓ ତେଲଙ୍ଗାନାରେ ୬୨ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଅନ୍ୟ ରାଜ୍ୟରେ ମଧ୍ୟ ସଂକ୍ରମଣ ବଢିବାରେ ଲାଗିଛି । ନୂଆବର୍ଷକୁ ଆଖି ଆଗରେ ରଖି ମୁମ୍ବାଇରେ ୧୪୪ ଧାରା ଜାରି କରାଯାଇଛି । ଏହାସହ ଜାନୁଆରୀ ୭ ତାରିଖ ପର୍ଯ୍ୟନ୍ତ ସମସ୍ତ କଟକଣା ଜାରି କରାଯାଇଛି । ବାର୍, ରେଷ୍ଟୁରାଣ୍ଟ, ରିସର୍ଟ ଓ ହୋଟେଲରେ ପାର୍ଟି ଉପରେ ଲାଗିଛି କଟକଣା । ମୁମ୍ବାଇରେ ତୃତୀୟ ଲହର ଆରମ୍ଭ ହୋଇଯାଇଥିବା କହିଛନ୍ତି କୋଭିଡ ଟାସ୍କ ଫୋର୍ସ ସଦସ୍ୟ ଡାକ୍ତର ଶଶାଙ୍କ ଯୋଶୀ । ଆଗକୁ ସଂକ୍ରମଣ ଅଧିକ ବଢିବ ବୋଲି ସେ ଚେତାବନୀ ଦେଇଛନ୍ତି । ମୁମ୍ବାଇରେ ସଂକ୍ରମଣ ୮୨ ପ୍ରତିଶତ ଓ ଦିଲ୍ଲୀରେ ପଜିଟିଭିଟି ରେଟ୍ ୧.୨୯ ପ୍ରତିଶତ ବୃଦ୍ଧି ପାଇଛି । ଟିକାକରଣକୁ ରାଜସ୍ଥାନ ସରକାର ବାଧ୍ୟତାମୂଳକ କରିଥିବାବେଳେ ମଣିପୁରରେ ରାତି ୯ଟାରୁ ଭୋର ୪ଟା ଯାଏ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି । ସମସ୍ତ ପ୍ରକାର କାର୍ଯ୍ୟକ୍ରମ, ଉତ୍ସବକୁ ନିଷିଦ୍ଧ କରାଯାଇଛି ।

Leave a Reply