୧୭ ଜୁଲାଇ ବେଳକୁ ଭାରତରେ କରୋନା ସଂକ୍ରମଣ ସଂଖ୍ୟା ପାର୍ ହେବ ୧୦ ଲକ୍ଷ, ଜାଣନ୍ତୁ କେମିତି …..
ଭାରତରେ କରୋନାଭାଇରସ୍ ସଂକ୍ରମଣ ସଂଖ୍ୟା ୮ଲକ୍ଷ ଛୁଇଁବାକୁ ଯାଉଛି । ଦେଶରେ ଶୁକ୍ରବାର ସକାଳ ପର୍ଯ୍ୟନ୍ତ ପ୍ରାୟ ୭.୯୫ ଲକ୍ଷ ମାମଲା ସାମନାକୁ ଆସିଲାଣି । କିଛି ଘଣ୍ଟା ମଧ୍ୟରେ ଏହି ସଂଖ୍ୟା ୮ଲକ୍ଷ ଅତିକ୍ରମ କରିବ । ଦେଶରେ କୋଭିଡ -୧୯ର ପ୍ରଥମ ମାମଲା ୩୦ ଜାନୁଆରୀରେ ଆସିଥିଲା । ଦେଶ ଲକଡାଉନରୁ ଅନଲକ୍-୧ ଏବଂ ଅନଲକ୍ -୨ ଯାଏଁ ପହଞ୍ଚିଲାଣି । ଏହି ଲମ୍ବା ସମୟ ମଧ୍ୟରେ କରୋନା ର ପ୍ରଭାବ କୌଣସି ସ୍ଥାନରେ ବନ୍ଦ କିମ୍ବା ହ୍ରାସ ହେବାର ଦେଖା ଯାଉନାହିଁ । ଏପର୍ଯ୍ୟନ୍ତ ଦେଶରେ ୨୧.୬୨ ହଜାର ଲୋକ ଏହି କାରଣରୁ ପ୍ରାଣ ହରାଇ ସାରିଲେଣି । ଏସବୁ ସତ୍ୱେ ଆଶ୍ୱାସନାର ବିଷୟ ହେଉଛି ପ୍ରାୟ ୬୨ ଶତକଡା କରୋନା ସଂକ୍ରମିତ ସୁସ୍ଥ ହୋଇଯାଇଛନ୍ତି।
ଭାରତରେ କରୋନା ଭୂତାଣୁକୁ ନେଇ କେବଳ ଗୋଟିଏ ଆଶ୍ୱସ୍ତି, ତାହା ହେଉଛି ସୁସ୍ଥହାର । ୱେବସାଇଟ୍ ୱାର୍ଲ୍ଡୋମିଟର ଅନୁଯାୟୀ, ଦେଶରେ ପ୍ରାୟ ୬୨ ଶତକଡା ଲୋକ କରୋନା ସଂକ୍ରମିତ ହୋଇ ପୁଣି ସୁସ୍ଥ ହୋଇଛନ୍ତି । ବିଶ୍ୱ ତୁଳନାରେ ଦେଶରେ ମୃତ୍ୟୁ ହାର ଟିକେ ସନ୍ତୋଷଜନକ । ବିଶ୍ୱରେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରୁ ହାରାହାରି ୭୧ ଜଣ ଲୋକ ପ୍ରାଣ ହରାଉଥିବା ବେଳେ ଭାରତରେ ମୃତ୍ୟୁ ହାର ମାତ୍ର ୧୬ । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ୪.୯୬ଲକ୍ଷ ଲୋକ କରୋନାରୁ ସୁସ୍ଥ ହୋଇଥିବାବେଳେ ୨.୭୭ ଲକ୍ଷ ଲୋକ ସଂକ୍ରମିତ ଅଛନ୍ତି।
ଯଦି ଆମେ କରୋନାର ସାମ୍ପ୍ରତିକ ପରିସ୍ଥିତିକୁ ଆକଳନ କରିବା, ତେବେ ଆମେ ଜାଣି ପାରିବା ଯେ ଗତ ଦୁଇ ଦିନ ମଧ୍ୟରେ ଭାରତରେ ପ୍ରାୟ ୨୦ରୁ ୨୫ହଜାର ମାମଲା ସାମନାକୁ ଆସୁଛି । ଯଦି ଏହି ଭଳି ସଂକ୍ରମଣ ସଂଖ୍ୟା ବଢିଚାଲେ, ତେବେ ପ୍ରତି ଚାରି ଦିନରେ ଦେଶର ଏକ ଲକ୍ଷ ଲୋକ ଏହି ଭୂତାଣୁରୁ ସଂକ୍ରମିତ ହେବେ ଯାହାଏକ ଚିନ୍ତାଜନକ ବିଷୟ ଅଟେ । ୧୭ ଜୁଲାଇ ସୁଦ୍ଧା ଦେଶରେ ୧୦ ଲକ୍ଷ କରୋନା ମାମଲା ସାମନାକୁ ଆସିବ ଏବଂ ଜୁଲାଇ ଶେଷ ସୁଦ୍ଧା ଏହି ସଂଖ୍ୟା ପ୍ରାୟ ୧୪ ଲକ୍ଷରେ ପହଞ୍ଚିବାର ଆଶଙ୍କା କରାଯାଉଛି ।
୮ ଦିନରେ ବୃଦ୍ଧି ପାଇଲା ୧.୮୨ ଲକ୍ଷ
ଭାରତରେ ଜୁଲାଇ ମାସ ପ୍ରଥମ ଆଠ ଦିନରେ ପ୍ରାୟ ୧.୮୨ ଲକ୍ଷ ନୂଆ କରୋନା ମାମଲା ଦେଖାଦେଇଛି ଯାହା ଜୁନ୍ ୩୦ରେ ୫.୮୫ ଲକ୍ଷ ଥିଲା । ଏବେଏହି ସଂଖ୍ୟା ୭.୬୭ ଲକ୍ଷରେ ପହଞ୍ଚି ସାରିଛି । ଅର୍ଥାତ୍ ଭାରତରେ ଜୁଲାଇ ପ୍ରଥମ ୮ ଦିନରେ ପ୍ରତିଦିନ ହାରାହାରି ୨୨.୮୦ ହଜାର ମାମଲା ସାମନାକୁ ଆସୁଥିଲା । ଜୁଲାଇର ଦ୍ୱିତୀୟ ସପ୍ତାହରେ ଏହା ପ୍ରାୟ ୨୪ ହଜାର ରହିପାରେ ।
ଆମେରିକାରେ ସବୁଠୁ ଅଧିକ ସଂକ୍ରମଣ
ବିଶ୍ୱ ବିଷୟରେ କହିବାକୁ ଗଲେ, ବର୍ତ୍ତମାନ ପର୍ଯ୍ୟନ୍ତ ୧.୨୩ କୋଟି ମାମଲା ରହିଛି ଏବଂ ୫.୫୫ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି । ଆମେରିକାର ସର୍ବାଧିକ ମାମଲା ରହିଛି । ଜୁଲାଇ ୮ ସୁଦ୍ଧା, ଆମେରିକାରେ ୩୧.୫୮ଲକ୍ଷ ମାମଲା ରହିଥିଲା । ଆମେରିକା ପରେ ବ୍ରାଜିଲ ୧୭.୧୬ ଲକ୍ଷ ମାମଲା ସହ ଦ୍ୱିତୀୟ ସ୍ଥାନରେ ରହିଛି ଏବଂ ଭାରତ ୭ଲକ୍ଷ ୯୩ ହଜାର ୮୦୨ ମାମଲା ସହ ତୃତୀୟ ସ୍ଥାନରେ ରହିଛି ।