ଭାରତରେ ଆଉ ଏକ କମ୍ପାନୀ କହିଲା ପ୍ରସ୍ତୁତ କରିବ କରୋନା ପାଇଁ ଭ୍ୟାକ୍ସିନ୍‌

1 min read

ଅହମ୍ମଦାବାଦ୍‌: ସାରା ବିଶ୍ୱକୁ ଏବେ କରୋନା ଚିନ୍ତା । ବିଶ୍ୱର ବଡ଼ ବଡ଼ ବୈଜ୍ଞାନିକମାନେ କରୋନା ଭ୍ୟାକ୍ସିନ୍‌ ପ୍ରସ୍ତୁତ କରିବାରେ ଲାଗିପଡ଼ିଛନ୍ତି । ଭ୍ୟାକ୍ସିନ୍‌ ପ୍ରସ୍ତୁତି ପାଇଁ ବିଭିନ୍ନ ଫାର୍ମା କମ୍ପାନୀ ଦିନ ରାତି ଏକ କରିଦେଇଛନ୍ତି । ଭାରତରେ ପୁଣେ ସ୍ଥିତ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ପରେ ଏବେ ହେଷ୍ଟର ବାୟୋସାଇନ୍ସେସ୍‌ ମଧ୍ୟ କରୋନା ପାଇଁ ଭ୍ୟାକ୍ସିନ୍‌ ପ୍ରସ୍ତୁତ କରିବାକୁ ଘୋଷଣା କରିଛି । କମ୍ପାନୀ ପକ୍ଷରୁ ଏହି ଘୋଷଣା ପରେ ସେୟାର ବଜାରରେ ଏହାର ଦର ୨୦ ପ୍ରତିଶତ ବୃଦ୍ଧି ପାଇଛି ।

ବୁଧବାର ଅହମ୍ମଦାବାଦ ସ୍ଥିତ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ହେଷ୍ଟର ବାୟୋସାଇନ୍ସେସ୍‌ର କହିବାନୁଯାୟୀ, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଗୌହାଟି ସହ ମିଶି ସେ COVID-19 ଭ୍ୟାକ୍ସିନ ପ୍ରସ୍ତୁତ କରିବ । ଏନେଇ ଗତ ଏପ୍ରିଲ୍ ୧୫ରେ ଚୁକ୍ତି ମଧ୍ୟ ହୋଇସାରିଛି । ଏହି ଟିକା ଏଭିଆନ୍ ପେରାମଇକ୍ସୋଭାଇରସ୍ ଭେକ୍ଟର ପ୍ଲାଟଫର୍ମ ଉପରେ ଆଧାରିତ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ଏହା ପୂର୍ବରୁ ପୁଣେର ସିରମ୍ ଇନଷ୍ଟିଚ୍ୟୁଟ୍ ଦାବି କରିଛି ଯେ, ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର ସୁଦ୍ଧା କରୋନା ଭ୍ୟାକ୍ସିନ୍‌ ବଜାରକୁ ଛାଡ଼ିବ । ଯାହାର ମୂଲ୍ୟ ପ୍ରତି ଡୋଜ୍‌ ପିଛା ୧୦୦୦ ଟଙ୍କା ରହିବ ।

ନ୍ୟୁଜ୍ ଏଜେନ୍ସି ପିଟିଆଇର କହିବାନୁଯାୟୀ, ହେଷ୍ଟର ବାୟୋସାଇନ୍ସେସ୍ ସିଇଓ ତଥା ଏମଡି ଆର. ଗାନ୍ଧୀ କହିଛନ୍ତି କୋଭିଡ୍‌-୧୯ ଭାଇରସ୍‌କୁ ଧ୍ୱଂସ କରିବାକୁ, ଆଇଆଇଟି ଗୌହାଟି ଏବଂ ହେଷ୍ଟର ମଳିତ ଭାବେ ଭ୍ୟାକ୍ସିନ୍‌ ପ୍ରସ୍ତୁତ କରୁଛନ୍ତି । ଆଇଆଇଟି ଗୌହାଟିକୁ ହେଷ୍ଟର ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ କରାଯାଉଛି । ଏହି ଭ୍ୟାକ୍ସିନ୍‌ ବଜାରରେ ବିକ୍ରି ଉପଯୋଗୀ ହେବା ଭଳି ପ୍ରସ୍ତୁତ କରାଯିବ ।

ତେବେ ଏହି ଘୋଷଣା ପରେ, ବୁଧବାର ହେଷ୍ଟର ବାୟୋସାଇନ୍ସେସର ଶେୟାର ଆଶାତୀତ ଭାବେ ବୃଦ୍ଧି ପାଇଛି । ଏକକାଳିନ ୨୦ ପ୍ରତିଶତ ଉପରକୁ ଉଠିଛି ଶେୟାର ଦର । ବିଏସ୍‌ଇରେ ଏହାର ଆଜିର କାରବାର ୧୩୬୬ରେ ସୀମିତ ରହିଥିଲା ।

Leave a Reply