ଚୀନରେ ସାଂଘାତିକ ପରିସ୍ଥିତି; ବଢୁଛି କରୋନା ସଂକ୍ରମଣ ଓ ମୃତ୍ୟୁ

ବେଜିଂ :  ଚୀନରେ ପୁଣି କାୟା ମେଲାଉଛି କରୋନା । କୋଭିଡ ତଥ୍ୟ ପଦାକୁ ଆସୁ ନଥିବାରୁ ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଇଛି ଉଦବେଗ । କୋଭିଡ ସମ୍ପର୍କିତ ତଥ୍ୟ ସର୍ବସାଧାରଣରେ ପ୍ରକାଶ କରିବା ଲାଗି ଚୀନ ଉପରେ ଆନ୍ତର୍ଜାତୀକ ସମୁଦାୟ ଚାପ ପକାଇବା ପରେ ରାଣ୍ଡମ ଓ ସ୍ପଟ ଚେକ୍ ଲାଗି ପଦକ୍ଷେପ ନେଇଛନ୍ତି ସରକାର । ଦେଶରେ କୋଭିଡ ସଂକ୍ରମଣ ବୃଦ୍ଧି ପାଇବା ସହ ହସ୍ପିଟାଲରେ ଅଧିକରୁ ଅଧିକ ଲୋକ ଭର୍ତ୍ତି ହେଉଛନ୍ତି । ତେଣେ ଦେଶରେ କୋଭିଜଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି ।

କୋଭିଡ ସମ୍ପର୍କିତ ସମସ୍ତ ସୂଚନା ପ୍ରକାଶ କରିବା ଲାଗି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଚୀନ ଉପରେ କିଛିଦିନ ତଳେ ଚାପ ପକାଇଥିଲା । ବିଭିନ୍ନ ସ୍ଥାନରେ ରାଣ୍ଡମ ଚେକିଂ, ସ୍ପଟ ଚେକିଂ, ଟିକା ପରିଚାଳନା ଲାଗି ଘୋଷଣା କରିଛି ନ୍ୟାସନାଲ ହେଲଥ କମିଶନ ।

ସେପଟେ ଆଫ୍ରିକୀୟ ରାଷ୍ଟ୍ର ବୁରୁଣ୍ଡିରେ ବ୍ୟାପିବାରେ ଲାଗିଛି ଏକ ଅଜଣା ଭାଇରସ । ଏହି ଭାଇରସ ସଂକ୍ରମଣରେ ବାଜିରୋ ସହରରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଜ୍ବର, ମୁଣ୍ଡବ୍ୟଥା, ଘୁମାଇବା, ବାନ୍ତି ଆଦି ଲକ୍ଷଣ ପରେ ସେମାନଙ୍କ ମୃତ୍ୟୁ ଘଟିଛି । ତେବେ ଏହା ଇବୋଲା କିମ୍ବା ମାରବର୍ଗ ଭାଇରସ ନୁହେଁ ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି ।

ସଂକ୍ରମଣ ବଢିବା ପରେ ବାଜିରୋ ଇଲାକାକୁ କ୍ବାରାଣ୍ଟାଇନରେ ରଖାଯାଇଛି । କିଛିଦିନ ତଳେ ପଡୋଶୀ ତାଞ୍ଜାନିଆରେ ମାରବର୍ଗ ଭାଇରସ ସଂକ୍ରମିତ ହେବା ପରେ ଏହାକୁ ଭେରି ହାଇ ରିସ୍କ ଦର୍ଶାଇଥିଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ।