ଦେଶର କିଛି ରାଜ୍ୟରେ ସାମାନ୍ୟ ବଢ଼ିଛି କରୋନା

1 min read

ନୂଆଦିଲ୍ଲୀ: ଦୁଇବର୍ଷ ପରେ ଦେଶରେ କରୋନା ସ୍ଥିତିରେ ସୁଧାର ଆସିଥିବା ବେଳେ କିଛି ରାଜ୍ୟରେ ଦୈନିକ ସଂକ୍ରମଣ ବଢୁଛି । ଗୁଜରାଟ, ହରିୟାଣା, ଦିଲ୍ଲୀରେ କରୋନା ସଂକ୍ରମଣ ସାମାନ୍ୟ ବୃଦ୍ଧିପାଇଛି । ଜାନୁୟାରୀ ମାସରୁ କରୋନା କେସ୍ ହ୍ରାସ ପାଉଥିବା ବେଳେ ଏବେ କେସ୍ ଲୋଡ ସାମାନ୍ୟ ବୃଦ୍ଧି ପାଇଛି ।

ରାଜଧାନୀ ଦିଲ୍ଲୀରେ ସାପ୍ତାହିକ କେସ୍ ଲୋଡ୍ ବଢ଼ିଛି । ମାର୍ଚ୍ଚ ୨୫ରୁ ୩୧ ମଧ୍ୟରେ ଦୈନିକ କେସ୍ ହାରାହାରି ୧୦୩ ରହିଥିବା ବେଳେ ଚଳିତ ସପ୍ତାହରେ ଏହା ୧୨୭ ହୋଇଛି । ହରିୟାଣାରେ ଦୈନିକ ହାରାହାରି ମାମଲା ୪୭ରୁ ବଢ଼ି ୬୮ ହୋଇଛି । ସେପଟେ ଗୁଜରାଟରେ ଶୁକ୍ରବାର କରୋନାର ନୂଆ ଭାରିଆଣ୍ଟ XE ଚିହ୍ନଟ ହୋଇଥିବା ବେଳେ ଦୈନିକ ମାମଲାରେ ସାମାନ୍ୟ ବୃଦ୍ଧି ଦେଖାଯାଇଛି । ଅନ୍ୟପଟେ ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, ତାମିଲନାଡୁ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗରେ ଦୈନିକ ସଂକ୍ରମଣ ତଳମୁହାଁ ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ୧୦୦୦ରୁ ସାମାନ୍ୟ ଉପରେ ରହିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ରବିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୦୫୪ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୨୯ମୃତ୍ୟୁ ରେକର୍ଡ କରାଯାଇଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୧,୦୫୪ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୩୫,୨୭୧ରେ ପହଞ୍ଚିଛି। ସେହିଭଳି ଗତ ୨୪ ଘଣ୍ଟାରେ ହୋଇଥିବା ୨୯ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୫,୨୧,୬୮୫ରେ ପହଞ୍ଚିଛି ।

ଅପରପକ୍ଷରେ ସାରା ଦେଶରେ ବୁଷ୍ଟର ଡୋଜ୍ ଟିକାକରଣକୁ ଜୋରଦାର କରାଯାଇଥିବା ବେଳେ ଆଜିଠୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ଟିକାକରଣ ଆରମ୍ଭ ହୋଇଛି । ତେବେ ଘରୋଇ ହସ୍ପିଟାଲରେ ମଧ୍ୟ ଟିକାନେଇପାରିବେ ଲୋକେ ।

ଏଥିସହିତ ପଢ଼ନ୍ତୁ: ବୁଷ୍ଟର ଡୋଜ ଆରମ୍ଭର ଗୋଟିଏ ଦିନ ପୂର୍ବରୁ ଶସ୍ତା ହେଲା କୋଭାକ୍ସିନ୍‌ ଓ କୋଭିସିଲ୍ଡ