କାୟା ବିସ୍ତାର କରୁଛି କରୋନା, ରେଳ ଷ୍ଟେସନ୍‌ ପରେ ବିମାନବନ୍ଦରରୁ ୧୦ ପଜିଟିଭ୍‌

Airport Positive

ଭୁବନେଶ୍ୱର: କାୟା ବିସ୍ତାର କରୁଛି କରୋନା । ରାଜଧାନୀ ଭୁବନେଶ୍ୱରରେ ସ୍ଥିତି ହେଲାଣି ଅଣାୟତ । ରବିବାର ଭୁବନେଶ୍ୱର ଏସ୍‌ବିଆଇ ମୁଖ୍ୟ କାର୍ଯ୍ୟାଳୟରୁ ୧୦ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଏବେ ବିମାନବନ୍ଦରରୁ ଆଉ ୧୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେହିଭଳି ରେଲଓ୍ୱେ ଷ୍ଟେସନ୍‌ରୁ ମଧ୍ୟ ଦୁଇ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି ।

ତେବେ ସବୁଠୁ ଅଧିକ ଚିନ୍ତା ବଢ଼ାଉଛି ଭୁବନେଶ୍ୱର ବିମାନ ବନ୍ଦର । ରବିବାର ଅପରାହ୍ନ ୩ଟା ସୁଦ୍ଧା ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଲେଣି । ଗତ ୩ ଦିନରେ ୨୫ ଯାତ୍ରୀ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଆଜି ଗୋଟିଏ ଦିନରେ ୧୦ ପଜିଟିଭ୍‌ ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଆଜକୁ ମିଶାଇ ବିମାନ ବନ୍ଦରରୁ ମୋଟ ୩୫ ଜଣ ଯାତ୍ରୀ ପଜିଟିଭ୍‌ ଚିହ୍ନଟ ହୋଇସାରିଲେଣି। ପଜିଟିଭ ଚିହ୍ନଟ ହୋଇଥିବା ସମସ୍ତ ଯାତ୍ରୀଙ୍କୁ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ବିମାନ ବନ୍ଦରରୁ ଚିହ୍ନଟ ସମସ୍ତ ଯାତ୍ରୀ ମହାରାଷ୍ଟ୍ରର ମୁମ୍ବାଇ ଓ ପୁଣେରୁ ଆସିଛନ୍ତି ।

ଆଗକୁ କରୋନା ଯାଞ୍ଚ ଆହୁରି କଡ଼ାକଡ଼ି ହେବ ବୋଲି କୁହାଯାଇଛି । ବିମାନବନ୍ଦର ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମିଳିତ ଭାବେ ସଂକ୍ରମଣ ରୋକିବା ଦିଗରେ ଗୁରୁତ୍ୱ ଦିଆଯାଉଛି । ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ ସବୁଙ୍କୁ ପରାମର୍ଶ ଦିଆଯାଉଛି । ତେବେ ଉଭୟ ରେଳଷ୍ଟେସନ ଓ ବିମାନବନ୍ଦରରେ ସ୍ୱତନ୍ତ୍ର ବ୍ୟବସ୍ଥା ଲାଗୁ କରିବା ପାଇଁ ଚାଲିଛି ବିଚାର ବିମର୍ଷ ।

Leave a Reply