ଦେଶରେ କମୁଛି ସଂକ୍ରମଣ: ୩୦ ହଜାର ତଳେ ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରମଣ । ଏଥର ପୁଣି କମିଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ଘଣ୍ଟାରେ ଦେଶରେ ୨୯ ହଜାର ୧୬୪ଟି ନୂଆ ପଜିଟିଭ୍ ଚିହ୍ନଟ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୮ ଲକ୍ଷ ୭୪ ହଜାର ୨୯୧କୁ ବୃଦ୍ଧି ପାଇଛି । ଅନ୍ୟପଟେ ଦେଶରେ ଦୈନିକ ମୃତ୍ୟୁ ସଂଖ୍ୟା ମଧ୍ୟ କମିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୪୪୯ଜଣଙ୍କର ଜୀବନ ନେଇଛି ମହାମାରୀ । ଦେଶରେ କରୋନାରେ ମୋଟ ମୃତ୍ୟୁ ସଂଖ୍ୟା ଲକ୍ଷେ ୩୦ ହଜାର ୫୧୯ରେ ପହଞ୍ଚିଛି ।

ସଂକ୍ରମିତଙ୍କ ସଂଖ୍ୟା ୮୮ଲକ୍ଷ ପାର୍

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଭାରତରେ ସମୁଦାୟ କରୋନା ମାମଲା ୮୮ ଲକ୍ଷ ୪୫ ହଜାରକୁ ବୃଦ୍ଧି ପାଇଥିବାବେଳେ ଏପର୍ଯ୍ୟନ୍ତ ଏକ ଲକ୍ଷ ୩୦ ହଜାର ୫୧୯ ଲୋକ ପ୍ରାଣ ହରାଇଛନ୍ତି । ମୋଟ ସକ୍ରିୟ ମାମଲା ଚାରି ଲକ୍ଷ ୫୩ ହଜାରକୁ ଖସି ଆସିଛି। ଗତ ୨୪ ଘଣ୍ଟା ମଧ୍ୟରେ, ସକ୍ରିୟ ମାମଲା ସଂଖ୍ୟା ୧୨,୦୭୭ ହ୍ରାସ ପାଇଛି । ଏପର୍ଯ୍ୟନ୍ତ ୮୨ ଲକ୍ଷ ୯୦ ହଜାର ୩୭୧ ଜଣ କରୋନାରୁ ଆରୋଗ୍ୟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ, ୪୦,୭୯୧ ରୋଗୀ କରୋନାରୁ ମୁକ୍ତ ହୋଇଛନ୍ତି ।

୧୬ ନଭେମ୍ବର ପର୍ଯ୍ୟନ୍ତ ହୋଇଥିବା ପରୀକ୍ଷା

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ଆଇସିଏମ୍ଆର୍) ଅନୁଯାୟୀ, ନଭେମ୍ବର ୧୬ ପର୍ଯ୍ୟନ୍ତ ଦେଶରେ କରୋନା ଭାଇରସ୍ ପାଇଁ ମୋଟ ୧୨,୬୫,୪୨,୯୦୭ ନମୁନା ପରୀକ୍ଷା କରାଯାଇଥିଲା, ସେଥିମଧ୍ୟରୁ ଗତକାଲି ୮,୪୪,୩୮୨ ନମୁନା ପରୀକ୍ଷା କରାଯାଇଥିଲା ।

Leave a Reply