spot_img

Latest Posts

ଆଉ କିଛି ଘଣ୍ଟା ପରେ ଓଡ଼ିଶା ନେବ କରୋନା ଟିକା

ଭୁବନେଶ୍ୱର: ସରିବ ଅଦୃଶ୍ୟ ରାକ୍ଷସ ଠାରୁ ଲଢ଼େଇର ଦିନ। ଆଉ ହନ୍ତସନ୍ତ କରି ମାରିବନି କରୋନା ଭୂତାଣୁ। ଲଢ଼େଇ ପାଇଁ ପାଖରେ ପହଞ୍ଚି ସାରିଛି କରୋନା ସଞ୍ଜୀବନି। ଆଉ ମାତ୍ର କିଛି ଘଣ୍ଟା ପରେ ଓଡ଼ିଶାବାସୀଙ୍କୁ ମିଳିବାକୁ ଯାଉଛି କରୋନା ଟିକା। ଆଜିଠାରୁ ରାଜ୍ୟବାସୀଙ୍କୁ ମିଳିବ କରୋନା ସଞ୍ଜୀବନୀ। ସକାଳ ୯ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଟିକାକରଣ ପ୍ରକ୍ରିୟା ରାଜ୍ୟରେ ଚାଲିବ। ରାଜ୍ୟରେ ମୋଟ ୧୬୧ଟି ଟିକାକରଣ କେନ୍ଦ୍ର ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଛି।

ଟିକାକରଣ ପାଇଁ ସ୍ୱତନ୍ତ୍ର ପ୍ରକୋଷ୍ଠ କରାଯିବା ସହ ପ୍ରତି ଟିକା କେନ୍ଦ୍ରରେ ୫ ଜଣିଆ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀ ରହିବେ। ଟିକାକରଣ ପାଇଁ ବିଶ୍ରାମ କକ୍ଷ, ଭ୍ୟାକିସନେସନ କକ୍ଷ, ନିରୀକ୍ଷଣ କକ୍ଷ ପ୍ରସ୍ତୁତ ରଖାଯାଇଛି। ରାଜ୍ୟରେ କୋଭିସିଲ୍ଡ ଟିକାର ୪ ଲକ୍ଷ ୮ହଜାର ଡୋଜ ରହିଥିବା ବେଳେ, କୋଭାକ୍ସିନ ୨୦ହଜାର ଡୋଜ୍ ଗଚ୍ଛିତ ରହିଛି। ଭୁବନେଶ୍ୱରର ୯ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ କୋଭାକ୍ସିନ ଟିକା ଦିଆଯିବା ସହ, ଅନ୍ୟ ଜିଲ୍ଲାର ୧ ଲକ୍ଷ ୮୩ ହଜାର ୫୫୫ ସ୍ୱାସ୍ଥ୍ୟକର୍ମୀଙ୍କୁ କୋଭିସିଲ୍ଡ ଟିକା ଦିଆଯିବ।

ବାହୁରେ ଟିକା ଦିଆଯିବା ସହ ଟିକା ନେଇଥିବା ବ୍ୟକ୍ତିଙ୍କୁ ୩୦ ମିନିଟ ଅବଜର୍ଭେସନରେ ରଖାଯିବ। ୧୮ ବର୍ଷରୁ କମ ବୟସ୍କଙ୍କୁ କରୋନା ଟିକା ବାରଣ କରାଯାଇଛି। ଏହାସହ ଗର୍ଭବତୀ, ସ୍ତନ୍ୟପାନ କରାଉଥିବା ମା’, ଅସୁସ୍ଥ ଲୋକ, ୧୪ ଦିନ ଭିତରେ ଅଲଗା ଟିକା ନେଇଥିବା ରୋଗୀ, କରୋନା ସଂକ୍ରମିତଙ୍କୁ କରୋନା ଟିକା ମନା କରାଯାଇଛି। ରାଜ୍ୟରେ ୩ ଲକ୍ଷ ୩୮ ହଜାର ସ୍ୱାସ୍ଥ୍ୟ କର୍ମୀ ପଞ୍ଜିକୃତ ହୋଇଥିବାବେଳେ ପ୍ରଥମ ଦଫାରେ ୧ ଲକ୍ଷ ୯୨ ହଜାର ଲୋକଙ୍କୁ ଟିକା ଦିଆଯିବ।

Latest Posts

Don't Miss