ଆସିଲା ଖୁସି ଖବର, ଜାନୁଆରୀ କିମ୍ବା ଫେବ୍ରୁଆରୀ ପ୍ରଥମ ଭାଗରେ ଦେଶରେ ମିଳିବ କୋଭିଡ୍ ଟିକା

Odisha Covid-19 Vaccinations AEFI Committee Reconstituted

ନୂଆଦିଲ୍ଲୀ: କରୋନା ସଂକଟରେ ଆଶା ବଢାଉଛି ଟିକା । ଜାନୁଆରୀ କିମ୍ବା ଫେବ୍ରୁଆରୀ ପ୍ରଥମ ଭାଗରେ ଦେଶରେ ମିଳିବ କୋଭିଡ୍ ଟିକା। ଜାନୁଆରୀ ସୁଦ୍ଧା ୧୦ କୋଟି ଟିକା ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛି ସେରମ ଇନଷ୍ଟିଚ୍ୟୁଟ । ସେପଟେ ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନେକା ପକ୍ଷରୁ ପ୍ରସ୍ତୁତ କରୋନା ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ବ୍ରିଟେନ୍‌ରେ ଅନୁମତି ମିଳିଛି ।

ଭାରତ ସରକାର ମଧ୍ୟ ଟିକା ଉତ୍ପାଦନକାରୀ ସଂସ୍ଥା ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆକୁ ଦେଶରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇପାରନ୍ତି । ଏଭଳି ହେଲେ ଆସନ୍ତା ବର୍ଷ ଜାନୁଆରୀ ଶେଷ ସୁଦ୍ଧା ପ୍ରଥମ ଦଫାରେ ଅକ୍ସଫୋର୍ଡ ଟିକା ମିଳିଯିବ । ଲୋକଙ୍କୁ ଏପ୍ରିଲ ସୁଦ୍ଧା ଟିକା ଦିଆଯିବା ପାଇଁ ଯୋଜନା ହୋଇଛି । ସେରମ ଇନଷ୍ଟିଚ୍ୟୁଟ୍ ଆସନ୍ତା ମାସ ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ଆବେଦନ କରିବ ।

ଟିକାର ଧାର୍ଯ୍ୟ ଦରଠାରୁ ୫୦ ପ୍ରତିଶତ ରିହାତିରେ ସେରମଠାରୁ ଏହାକୁ ଆଣିବା ପାଇଁ ସରକାର ଯୋଜନା କରିଛନ୍ତି । ୫ଶହରୁ ୬ଶହ ଟଙ୍କା ମଧ୍ୟରେ ଟିକାର ଦୁଇଟି ଡୋଜ୍ କିଣିବାକୁ ଲକ୍ଷ୍ୟ ରହିଛି । ସେପଟେ ପ୍ରଥମ ଓ ଦ୍ୱିତୀୟ ଟ୍ରାଏଲର ତଥ୍ୟ ଦେବା ପରେ କୋଭାକ୍ସିନ୍‌କୁ ଜରୁରୀ କାଳୀନ ବ୍ୟବହାର ଅନୁମତି ପ୍ରଦାନ ନେଇ ନିଷ୍ପତ୍ତି ନିଆଯିବ । ଭାରତ ବାୟୋଟେକ୍ ପ୍ରସ୍ତୁତ କରିଥିବା କୋଭାକ୍‌ସିନ୍ କରୋନାକୁ ମାତ୍ ଦେବାରେ ୬୦ ପ୍ରତିଶତ ସକ୍ଷମ ବୋଲି କମ୍ପାନୀ ଦାବି କରିଛି ।

ଚଳିତମାସ କୋଭାକ୍‌ସିନ୍‌ର ତୃତୀୟ ପର୍ଯ୍ୟାୟ ହ୍ୟୁମାନ୍ ଟ୍ରାଏଲ୍‌ ଆରମ୍ଭ ହୋଇଛି । ସେପଟେ  ଡିସେମ୍ବର ୧୧ରେ ଆମେରିକାରେ କୋଭିଡ୍‌ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇପାରେ । ଏନେଇ ହ୍ୱାଇଟ୍ ହାଉସ୍‌ ପକ୍ଷରୁ ସୂଚନା ଦିଆଯାଇଛି । ଆମେରିକାର ଫାର୍ମା କମ୍ପାନୀ ଫାଇଜର ଓ ଏହାର ଜର୍ମାନୀ ସହଯୋଗୀ ବାୟୋଏନ୍‌ଟେକ୍ ଟିକାର ଜରୁରୀ ବ୍ୟବହାର ଅନୁମତି ପାଇଁ ଆବେଦନ କରିଛନ୍ତି ।

Leave a Reply