କରୋନା ଭ୍ୟାକ୍ସିନ୍ ପସ୍ତୁତ ଦିଗରେ ଆଗକୁ ବଢ଼ୁଛି ଭାରତ‌

1 min read

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ସାରା ବିଶ୍ୱ ଆତଙ୍କିତ ହୋଇ ରହିଛି । ପ୍ରତିଦିନ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗଛି । ଏମିତିକି ଭାରତରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି । ତେବେ ଏହାରି ମଧ୍ୟରେ ଭାରତ କରୋନା ଭ୍ୟାକ୍ସିନ୍‌ ପ୍ରସ୍ତୁତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି ।

କରୋନା ଭୂତାଣୁକୁ ନଷ୍ଟ କରିବା ପାଇଁ ସାରା ବିଶ୍ୱରେ ଭ୍ୟାକ୍ସିନ୍‌ ପ୍ରସ୍ତୁତ କରିବା ଦିଗରେ ଅହରହ ପ୍ରୟାସ ଚଳାଇଛି । ଇଟାଲୀ ଏବଂ ଇସ୍ରାଏଲ୍ ଭଳି ଦେଶ କୋଭିଡ୍-୧୯ ଭ୍ୟାକ୍ସିନ୍‌ ପ୍ରସ୍ତୁତ କରିସାରିଥିବା ଦାବି କରୁଛନ୍ତି । ଏହାରି ମଧ୍ୟରେ ଭାରତ ମଧ୍ୟ କରୋନା ଭ୍ୟାକ୍ସିନ୍‌ ପ୍ରସ୍ତୁତ ଦିଗରେ ଆଗେଇ ଆସିଛି ।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଓ ଭାରତ ବାୟୋଟେକ୍ ଇଣ୍ଟରନ୍ୟାସନାଲ ଲିମିଟେଡ୍ ମିଳିତ ଭାବେ ଦେଶରେ ହିଁ କରୋନା ପାଇଁ ଭ୍ୟାକ୍ସିନ୍‌ ପ୍ରସ୍ତୁତ କରିବା ଦିଗରେ କାର୍ଯ୍ୟ ଆରମ୍ଭ କରିସାରିଛନ୍ତି । କରୋନା ଚିକିତ୍ସା ପାଇଁ ଦେଶରେ ହିଁ ଭ୍ୟାକ୍ସିନ୍‌ ପ୍ରସ୍ତୁତ କରାଯାଉ ବୋଲି ଉଭୟଙ୍କର ଆଗ୍ରହ ରହିଛି ।

କରୋନା ଭ୍ୟାକ୍ସିନ୍‌ ପ୍ରସ୍ତୁତ କରିବା ପାଇଁ ପୁଣେ ଲ୍ୟାବ୍‌ରୁ ଭାରତ ବାୟୋଟେକ୍‌କୁ ଭାଇରସ୍ ଷ୍ଟ୍ରେନ୍ ପଠାଯାଇଛି । ସୂଚନା ଅନୁଯାୟୀ, ଯଦି ଟିକା ପ୍ରସ୍ତୁତ ହୁଏ, ତେବେ ଏହା ପ୍ରଥମେ ପଶୁମାନଙ୍କ ଉପରେ ପରୀକ୍ଷା କରାଯିବ । ପଶୁମାନଙ୍କ ଉପରେ ଏକ ସଫଳ ପରୀକ୍ଷଣ ପରେ, ଏହା ମଣିଷ ଉପରେ ପରୀକ୍ଷା କରାଯିବ ।

ଜାତୀୟ ଗଣମାଧ୍ୟର ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ କହିଛନ୍ତି, ଭ୍ୟକ୍ସିନ୍‌ଠାରୁ ଆରମ୍ଭ କରି ଡ୍ରଗ୍ସ ପ୍ରସ୍ତୁତ ପର୍ଯ୍ୟନ୍ତ, ଆୟୁଷ ବିଭାଗକୁ ସମର୍ଥନ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ନେତୃତ୍ୱ ନେଉଛନ୍ତି । ଭାରତ ଇତିହାସରେ ପ୍ରଥମ ଥର ପାଇଁ ଆୟୁଷ ର କିଛି ଔଷଧ ସମ୍ବନ୍ଧରେ କ୍ଲିନିକାଲ୍ ପରୀକ୍ଷା ଆରମ୍ଭ କରାଯାଇଛି । ଆଗାମୀ ସମୟରେ ଏହା ଏକ ଐତିହାସିକ ପଦକ୍ଷେପ ହୋଇପାରେ । ଭାରତରେ ମଧ୍ୟ ବୈଜ୍ଞାନିକମାନେ ଭ୍ୟାକ୍ସିନ୍‌ ପ୍ରସ୍ତୁତ କରିବା ଦିଗରେ ସମ୍ପୂର୍ଣ୍ଣ ଗୁରୁତ୍ୱ ଦେଉଛନ୍ତି ।

Leave a Reply