ଦେଶ ଛାଡି ଚୀନ ଟିକା ନେବା ଲାଗି ନେପାଳ ଯାଉଛନ୍ତି ଲୋକେ? ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ: ସାରା ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ପ୍ରତିଦିନ ଲକ୍ଷ ଲକ୍ଷ ସଂକ୍ରମଣ ମାମଲା ଚିହ୍ନଟ ହେଉଛି । ଏହି ପରିପ୍ରେକ୍ଷୀରେ ସରକାର ଟୀକାକରଣକୁ ତ୍ୱରାନ୍ୱିତ କରିବାକୁ ଚେଷ୍ଟା କରୁଛନ୍ତି। ହେଲେ କିଛି ଲୋକ ଭାରତରେ ଟିକା ନେବା ପରିବର୍ତ୍ତେ ନେପାଳ ଯାଇ ଚୀନ ଟିକା ନେଉଛନ୍ତି। ତେବେ ସେମାନେ ଏଭଳି କାହିଁକି କରୁଛନ୍ତି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ…

ବିବିସି ରିପୋର୍ଟ ଅନୁଯାୟୀ ବୁଧବାର ଦିନ ନେପାଳର ରାଜଧାନୀ କାଠମାଣ୍ଡୁର ଜଣେ ମେଡିକାଲ୍ କର୍ମଚାରୀ ଟିକା ପାଇଁ ଛିଡା ହୋଇଥିବା ଲୋକଙ୍କ ହାତରେ ସୁଟକେସ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସନ୍ଦେହ ହେବାରୁ ସେ ଲୋକଙ୍କୁ ପରିଚୟ ପତ୍ର ଦେଖାଇବାକୁ କହିଥିଲେ । ଯାହା ପରେ ସେମାନେ ଭାରତୀୟ ପାସପୋର୍ଟ ଦେଖାଇଥିଲେ । ହେଲେ ସେଠାରେ ଥିବା କର୍ମଚାରୀମାନେ ଏହି ଟିକା ଦେବାକୁ ମନା କରିଦେଇଥିଲେ । ଏଭଳି କଥା ଶୁଣି ଲୋକମାନେ ଝଗଡା କରିବା ଆରମ୍ଭ କରି ଦେଇଥିଲେ ।

ସୂଚନା ଅନୁଯାୟୀ, ଯେଉଁମାନେ ଚୀନ ତିଆରି ଟିକା ନେବେ ସେମାନଙ୍କୁ ଚୀନରେ ପ୍ରବେଶ ପାଇଁ ଭିସା ଦିଆଯିବ ବୋଲି ଚୀନ୍ ଦୂତାବାସ ନିଜ ୱେବସାଇଟରେ ଏଭଳି ସୂଚନା ଦେଇଛି । ଏଭଳି ସୂଚନା ମିଳିବା ପରେ ଚୀନରେ ବ୍ୟବସାୟ କିମ୍ବା ଅନ୍ୟ କାମ ପାଇଁ ଯିବାକୁ ଚାହୁଁଥିବା ଭାରତୀୟମାନେ ଟିକା ନେବାକୁ ସେଠାରେ ପହଞ୍ଚିଥିଲେ ।

ବିବିସି ଅନୁଯାୟୀ କାଠମାଣ୍ଡୁର ଟେକୁ ହସ୍ପିଟାଲର ନିର୍ଦ୍ଦେଶକ ସାଗର ରାଜ ଭଣ୍ଡାରୀ କହିଛନ୍ତି ଯେ ସେ ଏବିଷୟରେ କିଛି ଜାଣି ନାହାଁନ୍ତି। କରୋନା ଭ୍ୟାକ୍ସିନର ଦୁରୁପଯୋଗ କରାଯାଉଥିବା ନେଇ ଏହି ଘଟଣାରୁ ଜଣାପଡିଥିଲା । କାରଣ ଏହି ଲୋକମାନଙ୍କର ଟିକା ନେବାର କୗେଣସି ଉଦ୍ଦେଶ୍ୟ ନାହିଁ ବରଂ ସେମାନଙ୍କର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଚୀନ୍ ଯିବା ।

ଅପରପକ୍ଷେ ନେପାଳର ଅଧିକାରୀ ମାନେ ଆଶଙ୍କା କରିଛନ୍ତି ଯେ ଚାଇନାର କମ୍ପାନୀଗୁଡିକ ସହିତ ବ୍ୟବସାୟ କରୁଥିବା ଭାରତୀୟ ବ୍ୟବସାୟୀମାନେ ସେମାନଙ୍କ କର୍ମଚାରୀ ମାନଙ୍କୁ ଚୀନ୍ ପଠାଇବା ପାଇଁ ଏହି କୗେଶଳ ଆପଣାଉଛନ୍ତି । ଏହି କାରଣରୁ ସେମାନେ କେବଳ ଚୀନ୍ ପ୍ରସ୍ତୁତ ଟିକା ବ୍ୟବହାର କରିବା ଲାଗି ଚାହୁଁଛନ୍ତି।

ତେବେ ଭାରତରେ ମଧ୍ୟ କରୋନା ସଂକ୍ରମଣକୁ ରୋକିବା ଲାଗି ଟୀକାକରଣକୁ ତ୍ୱରାନ୍ୱିତ  କରାଯାଇଛି । ଏବେ ଦେଶରେ କୋଭିଶିଲ୍ଡ ଏବଂ କୋଭାକ୍ସିନ ଟିକା ଦିଆଯାଉଥିବାବେଳେ ଜରୁରୀକାଳୀନ ସ୍ଥିତିରେ ଋଷର ‘ସ୍ପୁଟନିକ ଭି’କୁ ବ୍ୟବହାରିକ ଅନୁମତି ଦିଆଯାଇଛି।

Leave a Reply