ରାଜ୍ୟରୁ ରାଜ୍ୟକୁ ଡେଉଁଛି ଓମିକ୍ରନ

ନୂଆଦିଲ୍ଲୀ: ଓମିକ୍ରନ ଚିନ୍ତା ଘାରିବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ରାଜ୍ୟରୁ ଚିହ୍ନଟ ହେଉଛନ୍ତି ନୂଆ ନୂଆା ସଂକ୍ରମିତ । ପୁଣି ନୂଆ ରାଜ୍ୟ କର୍ଣ୍ଣାଟକ ଓ ତେଲେଙ୍ଗାନାରେ ପାଦ ଥାପିଛି ଓମିକ୍ରନ । କର୍ଣ୍ଣାଟକରୁ ୫ ଓ ତେଲେଙ୍ଗାନାରୁ ୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ଏବେ ମୋଟ ୮୭ ଜଣ ସଂକ୍ରମିତ ଚିହ୍ନଟ ହୋଇସାରିଲେଣି ।

ସଂକ୍ରମିତଙ୍କୁ ଚିକିତ୍ସା କରାଯିବା ସହ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି । ବିମାନ ବନ୍ଦର ଉପରେ ବିଶେଷ ଭାବେ ଧ୍ୟାନ ଦିଆଯାଉଛି । ବର୍ଷ ଆରମ୍ଭରୁ ମହାରାଷ୍ଟ୍ରରେ ଓମିକ୍ରନ କାୟା ବିସ୍ତାର କରିବା ନେଇ ମହାରାଷ୍ଟ୍ରର ସ୍ବାସ୍ଥ୍ୟ ବିଭାଗ ଆକଳନ କରିଛି । ଯାହାକୁ ନେଇ ଚିନ୍ତା ବଢିବାରେ ଲାଗିଛି । ସମସ୍ତ ରାଜ୍ୟର ସରକାର ଓମିକ୍ରନର ମୁକାବିଲା କରିବା ପାଇଁ ଆଗୁଆ ସଜାଗ ହୋଇଛନ୍ତି । କରୋନା କଟକଣା ମାନିବା ସହ ବିଦେଶ ଫେରନ୍ତାଙ୍କ ଉପରେ କଡା ନଜର ରଖିବା ପାଇଁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର । ସେପଟେ ବ୍ରିଟେନରେ ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ଗୋଟିଏ ଦିନରେ ୮୮ ହଜାର ୩୭୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସମସ୍ତେ ମାସ୍କ ପିନ୍ଧିବା ସହ କରୋନା ଗାଇଡଲାଇନ ମାନିବା ପାଇଁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ।

Leave a Reply