ବୋର୍ଡ ଓ ନିଗମ ନିଯୁକ୍ତିକୁ ନେଇ ପୁରୁଣା କ୍ୟାସେଟ ବଜାଉଛି ବିଜେପି; ଗୋଷ୍ଠୀ କନ୍ଦଳ ପ୍ରବଳ, ଛିଡୁନି ଅଙ୍କ
ନନ୍ଦିଘୋଷ ବ୍ୟୁରୋ: ନୂଆପଡ଼ା ନିର୍ବାଚନ ସରିଲା । ବିଜେପିର ବିପୁଳ ବିଜୟ ହେଲା । ସରକାରକୁ ଦେଢ ବର୍ଷ ପୂରିବାକୁ ବସିଲାଣି । ଓଡ଼ିଶାରେ ଆଲୋଚନା ହୋଇ ତାଲିକା ପ୍ରସ୍ତୁତ ହେଲା । ଦିଲ୍ଲୀରେ ବି ଚର୍ଚ୍ଚା ହେଲା । ସଭାପତି, ପ୍ରଭାରୀ, ମନ୍ତ୍ରୀ ବାରମ୍ବାର କହିଲେ ଖୁବ୍ ଶୀଘ୍ର ହେବ ନିଗମ ବୋର୍ଡ଼ ନିଯୁକ୍ତି । ହେଲେ ଏଯାଏଁ ଅଙ୍କ ଛିଡ଼ିଲା ନାହିଁ । ଦଳରେ ଭିତରେ ବିଭିନ୍ନ ଗୋଷ୍ଠୀ ଭିତରେ କନ୍ଦଳ ଯୋଗୁଁ ଭାଗବଣ୍ଟା ଛିଡୁନାହିଁ । ସହମତି ଓ ସମନ୍ଵୟ ଅଭାବ ସାଙ୍ଗକୁ ସମସ୍ତଙ୍କୁ ସନ୍ତୁଷ୍ଟ କରିବାର ପ୍ଲାନ ବି ଫେଲ ମାରୁଛି ।
ନୂଆପଡ଼ାରେ ବିଜେପିର ବିପୁଳ ବିଜୟ ପରେ ବି ହୋଇପାରୁନି ନିଗମ ଓ ବୋର୍ଡ଼ ନିଯୁକ୍ତି । ସରକାରକୁ ଦେଢ ବର୍ଷ ପୂରିବାକୁ ବସିଥିବା ବେଳେ ନେତା ଓ କର୍ମୀଙ୍କୁ ଥଇଥାନ କରାଯାଇପାରୁନି । ତୀବ୍ର ଗୋଷ୍ଠୀ କନ୍ଦଳ ଯୋଗୁଁ ଛିଡିପାରୁନି ଅଙ୍କ, ହୋଇପାରୁନି ସହମତି । ନେତାଙ୍କ ପ୍ରତିଶୃତି ବାରମ୍ବାର ଫେଲ ମାରୁଛି । ଏବେ ବି ‘ଖୁବ୍ ଶୀଘ୍ର ହେବ’ ଧ୍ଵନି ଥମିନାହିଁ । ମନମୋହନ ସାମଲ ତାଙ୍କ ଟିମ୍ କରିସାରିଥିବା ବେଳେ ମୋହନ ମାଝୀ ନିଜର ପୂରା ଟିମ୍ ଗଢି ପାରିନାହାନ୍ତି । ମନ୍ତ୍ରିମଣ୍ଡଳରେ ୬ଟି ପଦବୀ ଖାଲି ପଡ଼ିଥିବା ବେଳେ ୩୫ଟି ସରକାରୀ ନିଗମ ଓ ବୋର୍ଡ଼ ମୁଖିଆ ବଛା ହୋଇପାରିନି । ମହିଳା କମିଶନ ଓ ଶିଶୁ ସୁରକ୍ଷା ଆୟୋଗରେ ନିଯୁକ୍ତି ହୋଇଛି ସତ, ହେଲେ ବଡ଼ ବଡ଼ ନିଗମ ଏବେ ବି ନେତୃତ୍ଵ ଅପେକ୍ଷାରେ । ଜିଲ୍ଲା ସ୍ତରରେ ସରକାରୀ ଓକିଲ ନିଯୁକ୍ତି ପାଇଁ ତାଲିକା ବଦଳି ଚାଲିଥିବା ବେଳେ ଏହା ଚୂଡ଼ାନ୍ତ ହୋଇପାରୁନି । ଏଭଳି ସ୍ଥିତିରେ ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି, ସତ୍ତା ଓ ସଙ୍ଗଠନ ଉଭୟକୁ ଗୁରୁତ୍ଵ ଦିଆଯାଉଛି । ଦଳୀୟ ସ୍ତରରେ ତର୍ଜମା ଚାଲିଛି, ଖୁବ୍ ଶୀଘ୍ର ହେବ ନିଗମ ନିଯୁକ୍ତି ।
ଅନ୍ତଃକନ୍ଦଳ ସାଙ୍ଗକୁ ବିଜେପି ଭିତରେ ବିଭିନ୍ନ ଗୋଷ୍ଠୀ ହିଁ ବିଳମ୍ବ ପଛର କାରଣ ବୋଲି ବିଶେଷଜ୍ଞ କହିଛନ୍ତି । ନିଗମ ବୋର୍ଡ଼ ନିଯୁକ୍ତି ପାଇଁ ବହୁବାର ଉଦ୍ୟମ ହେଲାଣି । ବରିଷ୍ଠ ନେତାଙ୍କ ମଧ୍ୟରେ ଅନେକ ଆଲୋଚନା ହେଲାଣି । ଭୁବନେଶ୍ଵର ଓ ଦିଲ୍ଲୀରେ ରାଜ୍ୟ ସଭାପତି ଓ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ତର୍ଜମା ବି ହେଲାଣି । ହେଲେ ତାଲିକା ବାହାରକୁ ଆସିପାରୁନାହିଁ କି ସରକାରୀ ମୋହର ବାଜିପାରୁନାହିଁ । ସମସ୍ତଙ୍କୁ ସନ୍ତୁଷ୍ଟ କରିବା ଫର୍ମୁଲା କାମ ଦେଉନାହିଁ । ଏମିତି ସ୍ଥିତିରେ ଯେତେ ବିଳମ୍ବ ହେଉଛି, ଦଳ ଉପରେ ସେତିକି ଚାପ ପଡ଼ିବା ସହ ସଙ୍ଗଠନ ଉପରେ ମଧ୍ୟ ପ୍ରଭାବ ପକାଉଛି ବୋଲି ସମୀକ୍ଷକ କହିଛନ୍ତି ।
ଅସନ୍ତୁଷ୍ଟଙ୍କୁ ମନାଇବା ସହ ଦଳର ଭିତରେ ଥିବା ଗୋଷ୍ଠୀ ବିବାଦ ଚର୍ଚ୍ଚାକୁ ପଛରେ ପକାଇବା ସଭାପତିଙ୍କ ପାଇଁ ବଡ଼ ଆହ୍ଵାନ ହୋଇଛି । ସତ୍ତା ଓ ସଙ୍ଗଠନ ଉଭୟକୁ ଏକା ସାଙ୍ଗରେ ନେବା ବିଜେପି ପାଇଁ ହୋଇଛି ବିରାଟ ଚ୍ୟାଲେଞ୍ଜ ।

