ନନ୍ଦିଘୋଷ ବ୍ୟୁରୋ : କେନ୍ଦୁଝର ଜିଲ୍ଲାରେ ନୂତନ ବଗିଚା ଚାରା ରୋପଣ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ପଚାଶ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଖର୍ଚ୍ଚ ପରେ ବି ବଗିଚାରେ ନାହିଁ ଗଛ । ମାତ୍ର ରକ୍ଷଣାବେକ୍ଷଣା ପାଇଁ ଶ୍ରମିକଙ୍କ ନାଁରେ ଦୈନିକ ଉଠୁଛି ଟଙ୍କା । ଯାହାକୁ ନେଇ ଚାଷୀଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।
ନୂତନ ବଗିଚା ଚାରା ରୋପଣ କାର୍ଯ୍ୟରେ ଦୁର୍ନୀତିର ଗନ୍ଧ । ପଚାଶ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଖର୍ଚ୍ଚ ପରେ ବି ବଗିଚାରେ ନାହିଁ ଗଛ । ମାତ୍ର ରକ୍ଷଣାବେକ୍ଷଣା ପାଇଁ ଶ୍ରମିକଙ୍କ ନାଁରେ ଦୈନିକ ଉଠୁଛି ଟଙ୍କା । ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ଚମ୍ପୁଆ ବ୍ଲକ ଜଜପଶି ପଞ୍ଚାୟତ ବଳା ଗାଁରେ ନୂତନ ବଗିଚା ଚାରା ରୋପଣ ପାଇଁ ଟେଣ୍ଡରେ ଆହ୍ଵାନ ହୋଇଥିଲା । ମନରେଗା ପାଣ୍ଠିରୁ ୧୯ ଲକ୍ଷ ଓ ଜିଲ୍ଲା ଖଣିଜ ପାଣ୍ଠିରୁ ୩୭ ଲକ୍ଷରୁ ଉର୍ଦ୍ଧ ଟଙ୍କା ଉଦ୍ୟାନ ବିଭାଗ ତତ୍ତ୍ବାବଧାନରେ BAIF ନାମକ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନକୁ ଯୋଗାଇ ଦିଆଯାଇଥିଲା । ଗାଁର ୧୮ ଜଣ ଚାଷୀଙ୍କ ୭.୨୯ ହେକ୍ଟର ଜମିରେ କାଜୁ ଚାରା ଲଗାଇ ବଗିଚା ସୃଷ୍ଟି ପାଇଁ ଏହି ଅନୁଦାନ ଯୋଗାଇ ଦିଆଯାଇଥିଲା । ଚାରା ରୋପଣ କରି ତିନି ବର୍ଷ ଧରି ରକ୍ଷଣାବେକ୍ଷଣ ପରେ ଚାଷୀଙ୍କୁ ବଗିଚା ହସ୍ତାନ୍ତର କରାଯାଇଥାନ୍ତା । ହେଲେ ଚଞ୍ଚକତା କରି ପ୍ରଥମ ବର୍ଷ ବିନା ବାଡ଼ରେ ଗଛ ଲଗାଇ ସଂପୃକ୍ତ ଠିକା ସଂସ୍ଥା ଫେରାର ମାରିଛି । ଯାହାର ଫଳ ସ୍ଵରୂପ ଗଛ ଗୁଡ଼ିକ ଛେଳି ଖାଇ ନଷ୍ଟ କରିଦେଇଛନ୍ତି ।
ବର୍ତ୍ତମାନ ବଗିଚାରେ ଗଛ ନାହିଁ । ଯେଉଁଆଡେ ଦେଖିବେ ଖାଲି ପଡିଆ । ଗଛରେ ପାଣି ଦେବା ପାଇଁ ଖୋଳା ଯାଇଥିବା ବୋରିଙ୍ଗ ଗୁଡ଼ିକରେ ନା ମଟର ବସିଛି ନା ଗଛରେ ପାଣି ଦିଆଯାଉଛି । ହେଲେ ଗଛ ଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ଶ୍ରମିକଙ୍କ ନାଁରେ ଟଙ୍କା ହରିଲୁଟ୍ ହେଉଛି । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଯିବା ସହ ତଦନ୍ତ ଦାବି ହୋଇଛି । ଅନ୍ୟପଟେ ଘଟଣାକୁ ସ୍ଵୀକାର କରିଛନ୍ତି ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ।

