ଅଙ୍ଗନବାଡ଼ି ପୋଷାକ ବଣ୍ଟନରେ ଦୁର୍ନୀତିର ଗନ୍ଧ । ପିଲାଙ୍କୁ ଦିଆଯାଉଛି ନିମ୍ନମାନର ପୋଷାକ । ଗଞ୍ଜାମ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଥିବା ଅଙ୍ଗନବାଡ଼ିରେ ଦିଆଯାଉଛି ନିମ୍ନମାନର ପୋଷାକ l ଯାହାକୁ ନେଇ ଅଭିଭାବକ ମହଲରେ ବଢୁଛି ଅସନ୍ତୋଷ। ପ୍ରତିବର୍ଷ ଅଙ୍ଗନବାଡ଼ି ୟୁନିଫର୍ମ, ଶୀତ ପୋଷାକ ଓ ଯୋତା ବାବଦକୁ ପୁଅଙ୍କ ପାଇଁ ୪୫୦ ଓ ଝିଅଙ୍କ ପାଇଁ ୫୫୦ ଟଙ୍କା ପ୍ରଦାନ କରାଯାଉଛି। ହେଲେ ପିଲାଙ୍କୁ ଦିଆ ଯାଉଥିବା ୟୁନିଫର୍ମ ପୂରା ନିମ୍ନମାନର । ଯାହା ପିନ୍ଧିବା ଉପଯୋଗୀ ନୁହେଁ। ବ୍ୟବହାର କରିବାର ମାତ୍ର ମାସେ ଦୁଇ ମାସ ମଧ୍ୟରେ ନଷ୍ଟ ହୋଇ ଯାଉଛି। ଚଳିତ ବର୍ଷ ପୋଷାକ ବଣ୍ଟନ ଶେଷ ହୋଇଥିବାବେଳେ ଏଥିରେ ଦୁର୍ନୀତି ହୋଇଥିବା ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଏନେଇ ଦାୟିତ୍ୱରେ ଥିବା ସୁପରଭାଇଜରଙ୍କୁ ଅଭିଯୋଗ କରିଛୁ ବୋଲି କହିଛନ୍ତି ଅଙ୍ଗନବାଡ଼ି କର୍ମୀ l
ପ୍ରତିବର୍ଷ ଅଙ୍ଗନବାଡ଼ିକୁ ୟୁନିଫର୍ମ ଯୋଗାଇବା ପାଇଁ ପ୍ରତି ବ୍ଳକର କେତୋଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ଟଙ୍କା ଦିଆଯାଏ। କିନ୍ତୁ ଯେଉଁ ପୋଷାକ ବଣ୍ଟନ କରାଯାଏ ତାହା ପିନ୍ଧିବା ଯୋଗ୍ୟ ନୁହେଁ। ପୋଷାକ ଖୁବ କମ୍ ଦିନରେ ନଷ୍ଟ ହେଉଥିବା ଯୋଗୁଁ ପିଲା ୟୁନିଫର୍ମ ପିନ୍ଧି ଆସୁନଥିବା ଦେଖିବାକୁ ମିଳୁଛି । ଅନ୍ୟପଟେ ନିମ୍ନମାନର ପୋଷାକ ବଣ୍ଟନକୁ ନେଇ ଭଞ୍ଜନଗର ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଯାଇଛି । ବ୍ଳକ ଶିଶୁ ମଙ୍ଗଳ ଅଧିକାରୀଙ୍କ ସହ ଆଲୋଚନା କରି ଏହାର ତଦନ୍ତ କରିବେ ବୋଲି ସେ ପ୍ରତିଶୃତି ଦେଇଛନ୍ତି l

