କ୍ୟାବିନେଟ ନିଷ୍ପତ୍ତିରେ କାର୍ପଣ୍ୟ : ବିଜ୍ଞପ୍ତି ପ୍ରକାଶ କରିବାକୁ କୁନ୍ଥକୁନ୍ଥ
1 min read
ନନ୍ଦିଘୋଷ ବ୍ୟୁରୋ : ବ୍ୟଷୟିକ ଶିକ୍ଷାରେ ରାଜ୍ୟର ପଛୁଆବର୍ଗ ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ ଦିଆଯିବ । ଖୋଦ ରାଜ୍ୟ ସରକାର ଗତ ମେ ମାସରେ ଏନେଇ ଘୋଷଣା କରିଥିଲେ । କିନ୍ତୁ ଏଯାଏଁ ଏହା କାର୍ଯ୍ୟକାରୀ ହୋଇନାହିଁ । ଯାହାଫଳରେ ଚଳିତ ବର୍ଷ ମେଡିକାଲ ନାମଲେଖାରେ ଓବିସି ଛାତ୍ରଛାତ୍ରୀମାନେ ସଂରକ୍ଷଣ ପାଇପାଇବେ ନାହିଁ । ସେମାନେ ଏବାବଦରେ ପ୍ରାୟ ୨୨୬ ସିଟ୍ ହରେଇବେ । ଏନେଇ ରାଜ୍ୟ ସରକାରଙ୍କ ଦୃଷ୍ଚି ଆକର୍ଷଣ କରିଛି ଓବିସି ଫୋରମ । ଚଳିତ ଶିକ୍ଷାବର୍ଷରେ ୧୧.୨୫% ପ୍ରତିଶତ ସଂରକ୍ଷଣ ନଦେଲେ ଆଗକୁ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ଫୋରମ୍ I
ଓବିସି ଛାତ୍ରଛାତ୍ରୀଙ୍କୁ ପୁଣି ପ୍ରତାରଣା ଅଭିଯୋଗ । କାର୍ଯ୍ୟକାରୀ ହେଉନି ପଛୁଆ ବର୍ଗ ପାଇଁ ସଂରକ୍ଷଣ ଘୋଷଣା । ଚଳିତ ଶିକ୍ଷାବର୍ଷରୁ ସଂରକ୍ଷଣ ଲାଗୁ ନହେଲେ ଆନ୍ଦୋଳନ ଚେତାବନୀ ଦେଲା ଓବିସି ଫୋରମ । ରାଜ୍ୟର ପଛୁଆ ବର୍ଗ ଛାତ୍ରଛାତ୍ରୀଙ୍କୁ ସରକାର ଅବହେଳା କରୁଥିବା ଅଭିଯୋଗ I ଗତ ମେ ୧୭ ତାରିଖରେ ଓବିସି ଛାତ୍ରଛାତ୍ରୀଙ୍କୁ ମେଡିକାଲ୍ ଓ ଇଂଜିନିୟରି ଶିକ୍ଷା ପାଇଁ ସଂରକ୍ଷଣ ଦିଆଯିବ ବୋଲି ଘୋଷଣା କରିଥିଲେ । କିନ୍ତୁ ଘୋଷଣାକୁ ୪ ମାସ ବିତିଯାଇଥିଲେ ସୁଦ୍ଧା ସରକାରୀ କଳର ଅବହେଳା ଓ ଓବିସିଙ୍କ ପ୍ରତି ଉଦାସୀନତା ଯୋଗୁଁ ଆଜି ପର୍ଯ୍ୟନ୍ତ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଲା ନାହିଁ ବୋଲି ଅଭିଯୋଗ କରିଛି ଓବିସି ଫୋରମ । ଏହାଦ୍ବାରା ଚଳିତ ଶିକ୍ଷାବର୍ଷଠାରୁ ଓବିସି ପିଲାମାନେ ୨୨୬ଟି ମେଡିକାଲ୍ ସିଟ୍ରେ ନାମଲେଖା ସୁଯୋଗ ପାଇବେ ନାହିଁ ବୋଲି ଓବିସି ଫୋରମ୍ ଅଭିଯୋଗ କରିଛି । ରାଜ୍ୟ ସରକାର ଉଚ୍ଚଶିକ୍ଷା କ୍ଷେତ୍ରରେ ଓବିସିଙ୍କୁ ୧୧.୨୫ ପ୍ରତିଶତ ସଂରକ୍ଷଣ ଦେବାକୁ ଘୋଷଣା କରିଥିଲେ । ଚଳିତ ଶିକ୍ଷା ବର୍ଷରୁ ଏହି ସଂରକ୍ଷଣ ବ୍ୟବସ୍ଥା ଲାଗୁ ନହେଲେ ଆନ୍ଦୋଳନର ଚେତାବନୀ ଦେଇଛି ଓବିସି ଫୋରମ ।
ଓବିସି ବର୍ଗଙ୍କ ପ୍ରତି ସରକାରଙ୍କ ଉଦାସୀନତାକୁ କଂଗ୍ରେସ ମଧ୍ୟ ସମାଲୋଚନା କରିଛି । ଚଳିତ ବିଧାନସଭାରେ ଦଳ ଏହାକୁ ଏକ ପ୍ରସଙ୍ଗ କରିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତ ରାମଚନ୍ଦ୍ର କାଡାମ । ସେ ଅଭିଯୋଗ କରିଛନ୍ତି ଯେ, ସରକାର ଏମିତି ବହୁ ଘୋଷଣା କରୁଛନ୍ତି ଯାହା କାର୍ଯ୍ୟକାରୀ ହେଉନାହିଁ । ସେପଟେ ସରକାର ବୈଷୟିକ ଶିକ୍ଷାରେ ପଛୁଆ ବର୍ଗଙ୍କ ସଂରକ୍ଷଣ ନେଇ ବିଚାର କରୁଛନ୍ତି ଏବଂ ଖୁବଶୀଘ୍ର ଏନେଇ ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଛନ୍ତି ବିଜେପି ବିଧାୟକ ଶତ୍ରୁଘ୍ନ ଜେନା । ଅକ୍ଟୋବର ମାସରେ ଆଡମିସନ ସେସନ୍ ସରୁଥିବା ବେଳେ ତା ଭିତରେ ବିଜ୍ଞପ୍ତି ପ୍ରକାଶ କରିବା ପାଇଁ ଦାବି ରଖିଛି ଓବିସି ଫୋରମ ଓ କଂଗ୍ରେସ ।