ଗଜପତି ଜିଲ୍ଲା କ୍ଷୁଦ୍ର ଜଳସେଚନ ବିଭାଗରେ ବ୍ୟାପକ ଦୁର୍ନୀତି ଅଭିଯୋଗ : ଟଙ୍କା ହଡପ କରି ଠିକାଦାର ଫେରାର

ନନ୍ଦିଘୋଷ ବ୍ୟୁରୋ : ଗଜପତି ଜିଲ୍ଲା କ୍ଷୁଦ୍ର ଜଳସେଚନ ବିଭାଗରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ଉନ୍ନୟନ ମୂଳକ କାମରେ ଘୋଟାଲା । ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା । ପାରଳାଖେମୁଣ୍ଡିରେ ଥିବା ବୃହତ ରାମ ସାଗର ପୁନରୁଦ୍ଧାର କାମରେ ହୋଇଛି ଅର୍ଥ ହେରଫେର । ସାଗରର ପୁନରୁଦ୍ଧାର ସହ ସୌନ୍ଦର୍ଯ୍ୟକରଣ ଏବଂ ନୌବିହାରର ବ୍ୟବସ୍ଥା ପାଇଁ ତତ୍କାଳୀନ ସରକାର ପ୍ରଥମ ପର୍ଯ୍ୟାୟରେ ୩ କୋଟି ୫୦ ଲକ୍ଷ ମଞ୍ଜୁର କରିଥିଲେ ।

୨୦୨୪ ଜାନୁଆରୀରେ ବିଭାଗ ପକ୍ଷରୁ ସାଗରର ପଙ୍କ ଉଦ୍ଧାର ସହ ହିଡ ମରାମତି କାମ ଆରମ୍ଭ ହୋଇଥିଲା । ଏସ ଗୃପ ଅଫ କନଷ୍ଟ୍ରକସନ ନାମକ ଏକ ନିର୍ମାଣ କାରୀ ସଂସ୍ଥା ଦାୟିତ୍ଵ ନେଇଥିଲା । ହେଲେ ନା ସାଗରରୁ ଶେଷ ହୋଇଛି ପଙ୍କ ଉଦ୍ଧାର ନା ହିଡ ମରାମତି, କେବେଳ ମଝିରେ ଠାଏ ଠାଏ ମାଟି ଜମା କରି ଠିକାଦାର ଫେରାର । କିନ୍ତୁ ଏହାରି ଭିତରେ କାର୍ଯ୍ୟ ବାବଦକୁ ୨ କୋଟି ୪୦ ଲକ୍ଷ ୭୯ ହଜାର ଟଙ୍କା ବିଲ କରି ଚଳୁ କରାଯାଇଛି । ଯାହାକି ପୂର୍ବରୁ ଥିବା ଅଧିକାରୀଙ୍କ ବଦଳି ପରେ ଦୁର୍ନୀତି ସାମ୍ନାକୁ ଆସିଛି । ଏପରିକି ସମ୍ପୃକ୍ତ ଠିକାଦାର ଦେଇଥିବା ବ୍ୟାଙ୍କ ଗ୍ୟାରେଣ୍ଟି ସମ୍ପୂର୍ଣ୍ଣ ନକଲି ବୋଲି ଧରାପଡିଛି । ଏନେଇ ମୁଖ୍ୟ ଯନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ନୂଆ ଅଧିକ୍ଷଣ ଯନ୍ତ୍ରୀ, ଏବଂ କହିଛନ୍ତି ଓପିଡବ୍ଲୁଡି କୋଡ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସଂପୃକ୍ତ ଠିକାଦାର ଉଦ୍ଦେଶ୍ୟମୂଳକ ଭାବେ ବ୍ୟାଙ୍କ ଗ୍ୟାରେଣ୍ଟି ବାବଦକୁ ଦେଇଥିଲେ ନକଲି ବ୍ୟାଙ୍କ ବଣ୍ଡ । ଯାହାକୁ ଅନ୍ଧ ଭଳି ଯାଞ୍ଚ ନକରି ଆଖିବୁଜି ଗ୍ରହଣ କରିନେଇଥିଲେ ତତ୍କାଳୀନ ଅଧିକାରୀ । କାମ ଚାଲୁଥିବା ସମୟରେ ନିମ୍ନମାନର କାର୍ଯ୍ୟ ହେଉଥିବା ନେଇ ସ୍ଥାନୀୟ ଚାଷୀ ଅଭିଯୋଗ କରିଥିଲେ । ଏହା ସତ୍ତ୍ଵେ ଠିକାଦାର ପ୍ରତି ଅନୁକମ୍ପା ଦେଖାଇ ସମ୍ପୃକ୍ତ ଯନ୍ତ୍ରୀ ବିଲ ପୈଠ କରିଥିବା ଅଭିଯୋଗ ହୋଇଛି । ଯାହା ଠିକାଦାର ଓ ଯନ୍ତ୍ରୀଙ୍କ ମଧୁ ଚନ୍ଦ୍ରିକାକୁ ପଦାରେ ପକାଉଛି । ଅନ୍ଯପକ୍ଷରେ ଠିକାଦାରଙ୍କ ଦୁର୍ନୀତି ଖୋର ମନୋଭାବରୁ ସରକାରଙ୍କ ଯୋଜନା ଅଧାର ଅଟକିଯାଇଛି ।