ହାଇଦ୍ରାବାଦରେ ଅଭାବନୀୟ ଘଟଣା, ୪ ବର୍ଷର ଝିଅ ସହ ଜୀବନ ହାରିଲେ ମା’-ବାପା

ହାଇଦ୍ରାବାଦ: ହାଇଦ୍ରାବାଦରେ ଅଭାବନୀୟ ଘଟଣା। ୪ ବର୍ଷର ଝିଅକୁ ଫାଶୀରେ ଝୁଲାଇ ହତ୍ୟା କରିବା ପରେ ଦୁହେଁ କରିଛନ୍ତି ଆତ୍ମହତ୍ୟା। ହାଇଦ୍ରାବାଦର ଓ୍ବାରାସିଗୁଡା ଅନ୍ତର୍ଗତ ଗଙ୍ଗାପୁତ୍ର କଲୋନିରେ ଏହି ବୀଭତ୍ସ କାଣ୍ଡ ଘଟିଛି। ଘର କବାଟ ନଖୋଲିବାରୁ ପୋଲିସ କବାଟ ଭାଙ୍ଗି ଘର ଭିତରକୁ ପଶିଥିଲା।

ଘର ଭିତରେ ୩୫ ବର୍ଷ ବୟସ୍କ କେ. ସାଇକ୍ରିଷ୍ଣା, ପତ୍ନୀ ୩୦ ବର୍ଷ ବୟସ୍କା ଚିତ୍ରଲେଖା ଓ ୪ ବର୍ଷ ବୟସ୍କା କନ୍ୟା ତେଜସ୍ବିନୀର ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲା ପୋଲିସ। ଦମ୍ପତି କବାଟ ନଖୋଲିବାରୁ ଘର ମାଲିକ ପୋଲିସକୁ ଡାକିଥିଲା। ପରେ ପୋଲିସ ୩ଟି ଯାକ ମୃତଦେହ ଜବତ କରିଥିଲା। ଏହି ଆତ୍ମହତ୍ୟା ଲାଗି ୩ ଜଣ ଦାୟୀ ବୋଲି ସାଇକ୍ରିଷ୍ଣା ଦର୍ଶାଇବା ସହ ସେମାନଙ୍କ ନାମ କାନ୍ଥରେ ଲେଖାଥିବା ପୋଲିସ ଦେଖିବାକୁ ପାଇଛି।

ପୂର୍ବରୁ ଯେଉଁ ସଂସ୍ଥାରେ ଚିତ୍ରଲେଖା କାମ କରୁଥିଲେ ସେହି ସଂସ୍ଥାର ଲୋକଙ୍କ ନାମ କାନ୍ଥରେ ଲେଖାଯାଇଛି। ଗତ ଗୁରୁବାର ରାତିରେ ଘରୁ ଖୁବ ଜୋରରେ ଟିଭି ଶବ୍ଦ ଆସିବାରୁ ଘର ମାଲିକ ସେମାନଙ୍କୁ ଡାକିଥିଲେ। ମାତ୍ର କେହି କବାଟ ଖୋଲି ନଥିଲେ। ପରେ ଘରମାଲିକ ପୋଲିସକୁ ଜଣାଇଥିଲେ। ଆର୍ଥିକ ଅନଟନ ଏହି ଆତ୍ମହତ୍ୟା ପଛରେ ଦାୟୀ ବୋଲି ପୋଲିସ ଅନୁମାନ କରିଛି।