ଓମିକ୍ରନ୍ ବିପକ୍ଷରେ କେଉଁ ଟିକା ଅଧିକ ପ୍ରଭାବୀ ଜାଣନ୍ତୁ…

ନୂଆଦିଲ୍ଲୀ: ସାରା ବିଶ୍ୱରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ । ନଭେମ୍ବର ୨୪ରେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ଓମିକ୍ରନ୍ ଏବେ ସାରା ବିଶ୍ୱରେ ତା’ର କାୟା ବିସ୍ତାର କରିସାରିଲାଣି । ଭାରତରେ ମଧ୍ୟ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନର ପ୍ରଭାବ ଦେଖିବାକୁ ମିଳିଛି । ଓମିକ୍ରନ୍ ଦିନକୁ ଦିନ ଭାରତରେ ଦ୍ରୁତ ଗତିରେ ମାଡି ଚାଲୁଛି । ଏପର୍ଯ୍ୟନ୍ତ ଭାରତରେ ୨୩ ଜଣ ଓମିକ୍ରନରେ ସଂକ୍ରମିତ ହୋଇଛନ୍ତି । ଭାରତରେ ଓମିକ୍ରନ୍ ବଢ଼ୁଥିବା ଦେଖି କରୋନାର ତୃତୀୟ ଲହରର ଭୟ ସମସ୍ତଙ୍କ ମନରେ ରହିଛି । ତେବେ କରୋନାର ନୂଆ ଭାରିଆଣ୍ଟକୁ ନେଇ ବିଶେଷଜ୍ଞମାନେ ଲୋକମାନଙ୍କୁ ସତର୍କ ଓ ସାବଧାନ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ବିଶେଷଜ୍ଞମାନେ କହୁଛନ୍ତି କି ଏହି ଭାରିଆଣ୍ଟ ପୂର୍ବରୁ ଥିବା ସବୁ ଭାରିଆଣ୍ଟଠାରୁ ଦ୍ରୁତ ଗତିରେ ସଂକ୍ରମଣ କରୁଛି । ଏସବୁ ମଧ୍ୟରେ ଯେଉଁମାନେ ଟିକା ନେଇ ନାହାନ୍ତି ସେମାନେ ସଂକ୍ରମଣ ହେବା ସହ ଅନ୍ୟମାନଙ୍କ ପାଇଁ ବିପଦ ଆଣିପାରନ୍ତି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ଏସବୁ ଭିତରେ ଏବେ ସାଧାରଣ ଲୋକଙ୍କ ମନରେ ଏବେ ପ୍ରଶ୍ନ ଯେ ଓମିକ୍ରନ୍ ବିପକ୍ଷରେ କୋଭିସିଲ୍ଡ ଟିକା ନା କୋଭାକ୍ସିନ ଟିକା ଅଧିକ ପ୍ରଭାବୀ ହେଉଛି ।

ଏହି ସବୁ ପ୍ରଶ୍ନର ଉତ୍ତରରେ ବରିଷ୍ଠ ଡାକ୍ତର ଶୖଲେଶ ଜୈନ କହିଛନ୍ତି କି ଓମିକ୍ରନ୍ ଭାରିଆଣ୍ଟ ନୂଆ ୫୦ଟି ମ୍ୟୁଟେସନ ନେଇ ଆସିଛି । ଯେଉଁଥରେ ୧୦ଟି ମ୍ୟୁଟେସନ ସ୍ପାଇକ୍ ପ୍ରୋଟିନରେ ଆସିଥାଏ । ଯେଉଁଠାରେ ରେସିପ୍ଟିର ଆମ ଫୁସଫୁସ୍ ସହ ଲାଗି ରହିଥାଏ । ଅନ୍ୟପଟେ ଟିକା କଥା ଯଦି କହିବା ତାହାଲେ ଉଭୟ ଟିକା କୋଭାକ୍ସିନ ଓ କୋଭାସିଲ୍ଡ ଓମିକ୍ରନ୍ ଭାରିଆଣ୍ଟର ପ୍ରଭାବକୁ ହ୍ରାସ କରାଇଥାଏ । ଡାକ୍ତର ଶୖଲେଶ ଜୈନଙ୍କ ଅନୁସାରେ ଓମିକ୍ରନ୍ ବିରୋଧରେ କୋଭାକ୍ସିନ ଓ କୋଭିସିଲ୍ଡ ଟିକା ପ୍ରଭାବଶାଳୀ ହେବ । ଓମିକ୍ରନ୍ ଭାରିଆଣ୍ଟ ଆଲର୍ଟ ମଧ୍ୟରେ ସେ ବୁଷ୍ଟର ଡୋଜ ଟିକା ଦେବାକୁ କହିଛନ୍ତି ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଏପର୍ଯ୍ୟନ୍ତ ମିଳିଥିବା ଓମିକ୍ରନ୍ ଆକ୍ରାନ୍ତଙ୍କ ମଧ୍ୟରେ ସେପରି କିଛି ଗମ୍ଭୀର ଲକ୍ଷଣ ଦେଖିବାକୁ ମିଳୁନି । ଡେଲଟା ଭାରିଆଣ୍ଟ ତୁଳନାରେ ଓମିକ୍ରନ୍ ଭାରିଆଣ୍ଟରେ ଆକ୍ରାନ୍ତ ହେଉଥିବା ବ୍ୟକ୍ତିଙ୍କ ମଧ୍ୟରେ ନିଶ୍ୱାସ ପ୍ରଶ୍ୱାସ ନେବାରେ, ଅମ୍ଳଜାନର ଅଭାବ ଆଦି କିଛି ସମସ୍ୟା ଦେଖାଯାଉନାହିଁ । ବର୍ତ୍ତମାନ ସୁଦ୍ଧା ଓମିକ୍ରନର ଲକ୍ଷଣ ସାଧାରଣତଃ ରହିଛି । କିନ୍ତୁ କେଉଁ ସମୟରେ ଯେ ଏହା ସାଂଘାତିକ ରୂପ ନେବ ତାହା କିଛି କୁହାଯାଇପାରିବ ନାହିଁ ।

Leave a Reply