ଚୀନ୍ ସମେତ ୬ ଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ RT-PCR ବାଧ୍ୟତାମୂଳକ

1 min read

ନୂଆଦିଲ୍ଲୀ: ଚୀନ୍ ସମେତ କିଛି ଦେଶରେ କରୋନାର ବୃଦ୍ଧି ମାମଲାକୁ ଦୃଷ୍ଟିରେ ରଖି ଭାରତ ସରକାର ଆଲର୍ଟରେ ରହିଛନ୍ତି । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସବୁ ପ୍ରକାର ସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେବା ପରେ ଏବେ ଆଉ ଏକ ବଡ଼ ନିଷ୍ପତ୍ତି ନେଇଛି କେନ୍ଦ୍ର । ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି ଯେ, ଚୀନ୍, ହଙ୍ଗକଙ୍ଗ, ସିଙ୍ଗାପୁର, ଥାଉଲାଣ୍ଡ, ଦକ୍ଷିଣ କୋରିଆ ଏବଂ ଜାପାନରୁ ଆସୁଥିବା ଯାତ୍ରୀଙ୍କ ପାଇଁ RT-PCR ବାଧ୍ୟତାମୂଳକ କରାଯାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଟ୍ୱିଟ କରି କହିଛନ୍ତି ଯେ ଏହି ନିୟମ ଆଗାମୀ ବର୍ଷ ଅର୍ଥାତ ୧ ଜାନୁଆରୀରୁ ଏହି ନିୟମ ଲାଗୁ ହେବ । ଯେଉଁ ଯାତ୍ରୀ ବି ଏହି ସବୁ ଦେଶରୁ ଆସିବେ ତେବେ ଯାତ୍ରା ପୂର୍ବରୁ ନିଜର RT-PCR ରିପୋର୍ଟ ଏୟାର ସୁବିଧା ପୋର୍ଟାଲରେ ଅପଲୋଡ କରିବାକୁ ହେବ । ଭାରତରେ ଏବେ କରୋନାର ସ୍ଥିତି ନିୟନ୍ତ୍ରଣାଧୀନ ରହିଛି, ନିକଟରେ ମାମଲାରେ ସାମାନ୍ୟ ବୃଦ୍ଧି ଦେଖାଯାଇଛି । ୨୪ ଘଣ୍ଟାରେ କରୋନା ସଂକ୍ରମିତ ନୂଆ ରୋଗୀଙ୍କ ସଂଖ୍ୟା ୨୬୮ ରେକର୍ଡ କରାଯାଇଛି, ଯାହାକି ଗୋଟେ ଦିନ ପୂର୍ବେ ୧୮୮ ଥିଲା ।

କରୋନାର ଓମିକ୍ରନ ସବ-ଭାରିଆଣ୍ଟ BF.7 ଚୀନ, ଜାପାନ, ହଙ୍ଗକଙ୍ଗ, ତାଇୱାନ, ଦକ୍ଷିଣ କୋରିଆ, ପ୍ରାନ୍ସ, ଇଟାଲି, ଜର୍ମାନୀ ଏବଂ ବ୍ରାଜିଲ ଭଳି ଦେଶରେ ହାହାକର ସୃଷ୍ଟି କରିଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଗୁରୁବାର ସକାଳେ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ, କୋଭିଡ ଟୀକାକରଣ ଆଧାରରେ ଏପର୍ଯ୍ୟନ୍ତ ସୁଦ୍ଧା ମୋଟ ୨୨୦.୦୮ କୋଟି (9୫.୧୩ କୋଟି ଦ୍ୱିତୀୟ ଡୋଜ, ୨୨.୩୯ କୋଟି ପ୍ରିକସନ ଡୋଜ) ଟୀକା ଦିଆସରିଛି । ଗତ ୨୪ ଘଣ୍ଟାରେ ଦେଶରେ ୯୯,୨୩୧ ଟୀକା ଦିଆଯାଇଛି । ଭାରତରେ ବର୍ତ୍ତମାନ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩,୫୫୨ ରହିଛି ।