କରୋନାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବଡ଼ ଘୋଷଣା, ବିଶ୍ୱ ମହାମାରୀ ତାଲିକାରୁ ହଟିଲା କୋଭିଡ-୧୯

1 min read

ନନ୍ଦିଘୋଷ ବ୍ୟୁରୋ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) କରୋନାକୁ ନେଇ ବଡ଼ ଘୋଷଣା କରିଛି । ଡବ୍ଲୁଏଚଓ କହିଛି ଯେ ଏବେ କରୋନା ବୈଶ୍ୱିକ ମହାମାରୀ ରହିଯାଇ ନାହିଁ । ଏନେଇ ଜରୁରୀକାଳୀନ କମିଟିର ୧୫ତମ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଡବ୍ଲୁଏଚଓ ମହାନିର୍ଦ୍ଦେଶକ ଡା. ଟେଡ୍ରୋସ କହିଛନ୍ତି, ଗତକାଲି ଇମରଜେନ୍ସି କମିଟିର ୧୫ତମ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମୋତେ କୁହାଯାଇଥିଲା ଯେ, ବିଶ୍ୱ ମହାମାରୀ ତାଲିକାରୁ କୋଭିଡ-୧୯କୁ ହଟାଇବା ନେଇ ଘୋଷଣା କରିବାକୁ । ମୁଁ ସେମାନଙ୍କ ପରାମର୍ଶ ମାନିନେଇଛି ।

ଡବ୍ଲୁଏଚଓ କହିଛି ଯେ ୩୦ ଜାନୁଆରୀ ୨୦୨୦ରେ କରୋନାକୁ ବିଶ୍ୱ ମହାମାରୀ ବୋଲି ଘୋଷଣା କରାଯାଇଥିଲା । ଅବଶ୍ୟ ଡବ୍ଲୁଏଚଓ ସ୍ପଷ୍ଟ କରିଛି ଯେ କରୋନା ଏବେ ବି ଏକ ସ୍ୱାସ୍ଥ୍ୟ ସମସ୍ୟା ହୋଇ ରହିଛି । ଏଥିସହିତ ଡବ୍ଲୁଏଚଓ କହିଛି, କୋଭିଡ ଆମକୁ ବଡ଼ ଶିକ୍ଷା ଦେଇଛି । କୋଭିଡ ପୂର୍ବ ଜୀନବଶାଳୀକୁ ଫେରିପାରିବା ଅସମ୍ଭବ । ତେଣୁ ଏବେ ବି ସାବଧାନ ରହିବାର ଆବଶ୍ୟକତା ଅଛି । ଡବ୍ଲୁଏଚଓ ମୁତାବକ ଯେବେ କରୋନାକୁ ବିଶ୍ୱ ମହାମାରୀ ଘୋଷଣା କରାଗଲା ସେବେ ଚୀନରେ ୧୦୦ରୁ କମ୍ କରୋନା ମାମଲା ଥିଲା ଏବଂ କାହାର ପ୍ରାଣହାନୀ ଘଟିନଥିଲା । କିନ୍ତୁ ତିନି ବର୍ଷ ପରେ ମୃତ୍ୟୁ ସଂଖ୍ୟା ୭୦ ଲକ୍ଷରେ ପହଞ୍ଚିଯାଇଛି । ଆମକୁ ଲାଗୁଛି ଯେ ଏଥିରେ ପ୍ରାୟ ୨କୋଟି ଲୋକଙ୍କ ମୃତ୍ୟୁ ହୋଇଛି ।

ଡବ୍ଲୁଏଚଓ କହିଛି ଯେ କରୋନାକୁ ବିଶ୍ୱ ମହାମାରୀ ତାଲିକାରୁ ହଟାଇବାର ନିଷ୍ପତ୍ତି ଗତ ଏକ ବର୍ଷରେ ହୋଇଥିବା କୋଭିଡ ମାମଲାରେ ହ୍ରାସକୁ ଦେଖି ନିଆଯାଇଛି । ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ କୋଭିଡର ଏତେ ବଡ଼ ପ୍ରଭାବ ପଡ଼ିଛି ଯେ ସ୍କୁଲଠୁ ନେଇ ଅଫିସ ପର୍ଯନ୍ତ ସବୁକିଛି ବନ୍ଦ ରହିଥିଲା । ଅନେକ ଲୋକ ଏହି ସମୟରେ ଉତ୍ତେଜନା ଏବଂ ଚିନ୍ତା ଦେଇ ଗତି କରିଥିଲେ । ଏହା ବିଶ୍ୱର ଅର୍ଥବ୍ୟବସ୍ଥାକୁ ମଧ୍ୟ ନଷ୍ଟ କରିଦେଇଛି । ଡବ୍ଲୁଏଚଓର ମହାନିର୍ଦ୍ଦେଶକ ଟେଡ୍ରୋସ କହିଛନ୍ତି ଯେ କରୋନାକୁ ବିଶ୍ୱ ମହାମାରୀରୁ ହଟାଇବାର ଏହା ଅର୍ଥ ନୁହେଁ ଯେ କରୋନା ସମାପ୍ତ ହୋଇଯାଇଛି । ଗତ ସପ୍ତାହରେ ହିଁ କୋଭିଡ ପ୍ରତି ତିନି ମିନଟରେ ଜଣଙ୍କ ଜୀବନ ନେଉଥିଲା । ଏବେ ବି ନୂଆ ଭାରିଆଣ୍ଟ ଆସୁଛି । ଏପରି ସ୍ଥିତିରେ ସତର୍କ ରହିବାର ଆବଶ୍ୟକତା ରହିଛି ।