ରାଜଧାନୀରେ ସଙ୍ଗୀନ ହେଉଛି କୋଭିଡ୍ ସ୍ଥିତି, ଦୈନିକ ସଂକ୍ରମଣର ୮୭% ସ୍ଥାନୀୟ ମାମଲା

1 min read
Covid-19 Situation Going To Rough In Bhubaneswar

ଭୁବନେଶ୍ୱର: ପୁଣି ଡରାଇଲାଣି କରୋନା, ଟ୍ୱିନ୍ ସିଟିରେ ବଢ଼ିବ କଟକଣା । ଓମିକ୍ରନ୍ ସଂକ୍ରମଣର ଆତଙ୍କ ଭିତରେ ପୁଣି ବଢ଼ିବାରେ ଲାଗିଛି କୋଭିଡ୍ ସଂକ୍ରମଣ । ଗତ ୨ ଦିନ ହେଲା ସଂକ୍ରମିତଙ୍କ ସଂଖ୍ୟା ଢେର୍ ବଢ଼ିଛି । ଗତକାଲି ୨୯୮ ଓ ଆଜି ୪୨୪ ଜଣ ସଂକ୍ରମିତ ରାଜ୍ୟରେ ଚିହ୍ନଟ ହୋଇଛନ୍ତି । ସବୁଠୁ ଅଧିକ ସଂକ୍ରମିତ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲାରୁ । ସେଥିମଧ୍ୟରୁ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ୬୩ ପ୍ରତିଶତ ଆକ୍ରାନ୍ତ ଅଛନ୍ତି ।

ବଢ଼ୁଥିବା ସଂକ୍ରମଣ ଚେନକୁ ଦେଖିଲେ ଭୁବନେଶ୍ୱରକୁ ପୁଣି କୋଭିଡ୍ କଟକଣା ଫେରିବା ଆଶଙ୍କା କରାଯାଉଛି । କାରଣ ରାଜ୍ୟର ସବୁଠୁ ଅଧିକ ସଂକ୍ରମିତ ଭୁବନେଶ୍ୱରରୁ ବାହାରୁଛନ୍ତି । ଆଜି ଖୋର୍ଦ୍ଧାରୁ ୧୭୭ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧୨ ଜଣ ବିଏମସି ଅଞ୍ଚଳର ବୋଲି ଜଣାପଡ଼ିଛି । ଯାହାକି ଜିଲ୍ଲାରେ ଚିହ୍ନଟ ମୋଟ ମାମଲାର ୬୩ ପ୍ରତିଶତରୁ ଅଧିକ ।

ତା’ଠୁ ଅଧିକ ଉଦବେଗର କାରଣ ହେଉଛି ସ୍ଥାନୀୟ ସଂକ୍ରମଣ । ବିଗତ ୨୪ ଘଣ୍ଟାରେ ୧୧୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରେ ମାତ୍ର ୧୪ଟି କ୍ୱାରେଣ୍ଟାଇନ୍ ମାମଲା ରହିଛି । ବାକି ୧୦୪ଟି ଯାକ ମାମଲା ସ୍ଥାନୀୟ ସଂକ୍ରମଣ । ଅର୍ଥାତ୍ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିବା ୮୭.୫ ପ୍ରତିଶତ ଲୋକ ହାଟ ବଜାର ଚାରିଆଡ଼େ ବୁଲୁଥିଲେ । ରାଜ୍ୟରେ ଦୈନିକ ମାମଲା ବଢ଼ୁଥିବା ବେଳେ ରାଜଧାନୀରେ ଦୈନିକ ପାଖାପାଖି ୯୦ ପ୍ରତିଶତ ସ୍ଥାନୀୟ ସଂକ୍ରମଣ ମାମଲା ଗୋଷ୍ଠୀ ସଂକ୍ରମଣକୁ ସୂଚାଉଛି । ତେବେ ଏନେଇ ସରକାରୀସ୍ତରରେ କୌଣସି ସୂଚନା ଦିଆଯାଇ ନାହିଁ ।

ରାଜଧାନୀ ଭୁବନେଶ୍ୱରରେ ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ଦେଖିଲେ ଲାଗୁଛି ଖୁବଶୀଘ୍ର କଟକଣାକୁ ଆହୁରି କଡ଼ାକଡ଼ି କରାଯିବ । ଏବେ ରାତ୍ରୀକାଳୀନ କର୍ଫ୍ୟୁ ଲାଗିଥିବା ବେଳେ ଆଗକୁ ସପ୍ତାହାନ୍ତ ସଟଡାଉନ୍ ହୋଇପାରେ । ତେବେ ଏନେଇ ବିଏମସି ଯାହା ନିଷ୍ପତ୍ତି ନେବ । ବାହାଘର ଋତୁ ଚାଲୁଥିବା ବେଳେ ବିଭିନ୍ନ କଲ୍ୟାଣ ମଣ୍ଡପରେ ଭିଡ଼ ଦେଖିବାକୁ ମିଳୁଛି । ସଂକ୍ରମଣ ରୋକିବାକୁ ବିଏମସି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ହୋଇ ପଡ଼ିଛି ।

Leave a Reply