ଦେଶରେ ବଢୁଛି କରୋନା ସଂକ୍ରମଣ, ଦିନକରେ ୯ହଜାର ୩୫୫ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ବଢ଼ୁଛି କରୋନା ସଂକ୍ରମଣ । ଦିନକରେ ୯ହଜାର ୩୫୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆକ୍ଟିଭ କେସ୍ ୫୭ହଜାର ୪୧୦ ରହିଛି । ଏପଟେ ରାଜ୍ୟରେ ୨୪ ଘଣ୍ଟାରେ ୨୬ଜିଲ୍ଲାରୁ ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସୁନ୍ଦରଗଡ଼ରୁ ସର୍ବାଧିକ ୧୪୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୫୯, ଖୋର୍ଦ୍ଧାରୁ ୩୫, ମୟୂରଭଞ୍ଜରୁ ୨୪, ଅନୁଗୁଳରୁ ୨୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟର ସମସ୍ତ ହସ୍ପିଟାଲରେ ଡାକ୍ତର ଓ କର୍ମଚାରୀଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ ହୋଇଛି । ମେଡିକାଲକୁ ଯାଉଥିବା ଲୋକ ମାସ୍କ ପିନ୍ଧିବାକୁ କୁହାଯାଇଛି ।

କୋଭିଡ଼ ଲକ୍ଷଣ ଥିଲେ ଲୋକଙ୍କୁ ଟେଷ୍ଟ କରାଇବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । ଭିଡ଼ ସ୍ଥାନକୁ ନଯିବାକୁ ସ୍ବାସ୍ଥ୍ୟ ବିଭାଗ ସତର୍କତା ଜାରି କରିଛି । ପୂର୍ବରୁ ନବରଙ୍ଗପୁର ମାଲକାନଗିରି ଗସ୍ତ କରି କୋଭିଡ ସ୍ଥିତିର ସମୀକ୍ଷା କରିଥିଲେ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯାଇଛି । ହୋମ ଆଇସୋଲେସନରେ ଥିବା ସଂକ୍ରମିତଙ୍କୁ ଅଧିକ ମନିଟରିଙ୍ଗ କରାଯାଉଛି ।