ଫେବ୍ରୁଆରୀ-ମାର୍ଚ୍ଚ ସୁଦ୍ଧା ବଜାରରେ ମିଳିବ କରୋନା ଟିକା, ପ୍ରସ୍ତୁତ ହେବ ବୟସ୍କ ଓ ସମ୍ମୁଖ ଯୋଦ୍ଧାଙ୍କ ଡାଟାବେସ୍

1 min read

ନୂଆଦିଲ୍ଲୀ: ଫେବ୍ରୁଆରୀ-ମାର୍ଚ୍ଚ ସୁଦ୍ଧା ବଜାରରେ ମିଳିବ କରୋନା ଟିକା । ସରକାରଙ୍କ ଅନୁମତି ମିଳିବା ପରେ ଟିକାର ବଜାର ପ୍ରବେଶ କରାଇବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ଫାର୍ମା କମ୍ପାନୀ । କୋଭିସିଲ୍‌ଡ ଓ କୋଭାକ୍ସିନ ଟିକାର ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି ଭାରତ ସରକାର । ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ-ଡିସିଜିଆଇ ପକ୍ଷରୁ ମଞ୍ଜୁରୀ ଦିଆଯିବା ପରେ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପକ୍ଷରୁ ଟିକାର ବଜାର ପ୍ରବେଶ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଏ ନେଇ ଫାର୍ମା କମ୍ପାନୀ ପକ୍ଷରୁ କୁହାଯାଇଛି, ସରକାରଙ୍କ ଆଦେଶକୁ ଅପେକ୍ଷା କରାଯାଇଛି । ସରକାର କେତେମାତ୍ରାରେ ଟିକା କିଣିବାକୁ ଚାହୁଛନ୍ତି, ସେ ନେଇ ଅର୍ଡର ମିଳିବା ପରେ ଟିକା ଯୋଗାଇ ଦିଆଯିବ । ୨୦୨୧ ଜୁଲାଇ ସୁଦ୍ଧା ୩୦କୋଟି ଡୋଜ୍ ପ୍ରସ୍ତୁତ କରିବାକୁ କମ୍ପାନୀ ପ୍ରସ୍ତୁତ ବୋଲି ସେରମ୍‌ର ସିଇଓ ଆଦର ପୁନୱାଲା କହିଛନ୍ତି ।

କରୋନାକୁ ମାତ୍ ଦେବାକୁ ଜଣେ ବ୍ୟକ୍ତି କୋଭାକ୍ସିନ୍‌ର ଦୁଇଟି ଡୋଜ୍ ନେବା ଆବଶ୍ୟକ । ୩ ମାସ ମଧ୍ୟରେ ଦୁଇଟି ଡୋଜ୍ ନେବାକୁ ହେବ ବୋଲି ପୁନୱାଲା କହିଛନ୍ତି । କମ୍ପାନୀ ପ୍ରଥମେ ସରକାରଙ୍କୁ ଟିକା ଯୋଗାଇବ ଏବଂ ଘରୋଇ ବଜାରକୁ ବିକ୍ରି କରିପାରିବ ନାହି ବୋଲି ସର୍ତ୍ତ ରହିଛି । ସରକାରଙ୍କୁ ୨ଶହ ଟଙ୍କା ପ୍ରତି ଡୋଜ୍ ହିସାବରେ କମ୍ପାନୀ ଟିକା ବିକ୍ରି କରିବ । ବଜାର ପାଇଁ ଟିକା ବିକ୍ରି ଅନୁମତି ମିଳିଲେ ଏହାର ପ୍ରତି ଡୋଜ୍‌କୁ ୧ହଜାର ଟଙ୍କା ହିସାବରେ ବିକ୍ରି କରାଯିବ ବୋଲି ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ସିଇଓ ପୁନୱାଲା କହିଛନ୍ତି ।

Leave a Reply