ଆମେରିକା ବିରୋଧରେ ପୁଣି ଚୀନର ବଡ଼ ଧରଣର ଗୁଇନ୍ଦାଗିରି

ଆମେରିକା ବିରୋଧରେ ପୁଣି ଚୀନର ବଡ଼ ଧରଣର ଗୁଇନ୍ଦାଗିରି । ଆମେରିକାର ବିଭିନ୍ନ ବନ୍ଦରରେ ନିୟୋଜିତ ବହୁ ଚୀନ ନିର୍ମିତ କ୍ରେନ ଜରିଆରେ ଗୁଇନ୍ଦାଗିରି କରାଯାଉଥିବା ନେଇ ଆଶଙ୍କା ବ୍ୟକ୍ତ କରିଛି ଆମେରିକା । ଗତ ଜାନୁଆରୀରେ ଆମେରିକା ଆକାଶରେ ଉଡୁଥିବା ଏକ ଚୀନନିର୍ମିତ ସ୍ପାଏ ବେଲୁନକୁ ଖସାଇ ଦେଇଥିଲା ଆମେରିକା । ଏହାକୁ ନେଇ ଦୁଇ ଦେଶ ମଧ୍ୟରେ କୂଟନୈତିକ ବିବାଦ ଜାରି ରହିଥିବାବେଳେ ପୁଣି ଆମେରିକା ଏକ ନୂଆ ଅଭିଯୋଗ କରିଛି ।

ଚୀନ ନିର୍ମାତା ଜେପିଏମସିର ବହୁ କ୍ରେନ ବର୍ତ୍ତମାନ ଆମେରିକାର ବହୁ ବନ୍ଦରରେ ନିୟୋଜିତ ରହିଛି । ତନ୍ମଧ୍ୟରୁ ସାମରିକ ବିଭାଗ ଲାଗି ମଧ୍ୟ କେତେକ କ୍ରେନ ନିୟୋଜିତ କରାଯାଇଛି । ତେବେ କ୍ରେନଗୁଡ଼ିକର ଭୂମିକାକୁ ନେଇ ସସପେନ୍ସ ଜାରି ରହିଛି । ଏହି କ୍ରେନଗୁଡିକୁ ଆମେରିକା ଜାତୀୟ ନିରାପତ୍ତା ବିଭାଗ ଓ ପେଣ୍ଟାଗନ କର୍ମକର୍ତ୍ତା ଟ୍ରୋଜନ ହର୍ଷ ସହ ତୁଳନା କରିଛନ୍ତି ।

ଏହି କ୍ରେନଗୁଡିକରେ ଅତ୍ୟାଧୁନିକ ସେନସର ଖଞ୍ଜାଯାଇଛି ଏବଂ ଏହା ଜରିଆରେ ଅନେକ ଗୋପନ ତଥ୍ୟ ଚୀନ ହାସଲ କରୁଛି ବୋଲି ଅଭିଯୋଗ କରାଯାଇଛି । ଏପରିକି ଏହି କ୍ରେନଗୁଡିକ ଚୀନ ନିର୍ମିତ ସଫ୍ଟଓ୍ବେର ଜରିଆରେ ପରିଚାଳିତ ହେବା ସହ ଦୁଇ ବର୍ଷିଆ ଭିସାରେ ଆମେରିକାକୁ ଯାଇ ସେଠାରେ କାମ କରୁଥିବା ଚୀନ ନାଗରିକମାନେ ଗୁପ୍ତଚର ବୃତ୍ତିରେ ନିୟୋଜିତ ରହୁଛନ୍ତି ବୋଲି ଆଶଙ୍କା କରାଯାଉଛି ।

କିଛି ଦିନ ତଳେ ଆମେରିକୀୟମାନଙ୍କ ଉପରେ ଗୁଇନ୍ଦାଗିରି କରୁଥିବା ଅଭିଯୋଗ ପ୍ରକାଶ ପାଇବା ପରେ ଆମେରିକାରେ ହୁଓ୍ବାଇ ଟେକନୋଲୋଜିର ଯନ୍ତ୍ରପାତିକୁ ନିଷିଦ୍ଧ ଘୋଷଣା କରାଯାଇଥିଲା । ବିଶ୍ବର କ୍ରେନ ମାର୍କେଟର ପ୍ରାୟ ୭୦ ଭାଗ ନିୟନ୍ତ୍ରଣ କରୁଛି ଚୀନ ଫାର୍ମ ଜେପିଏମସି ଏବଂ ପ୍ରାୟ ୧୦୦ ଦେଶକୁ ଏହି କମ୍ପାନି କ୍ରେନ ରପ୍ତାନି କରୁଛି ।