ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାର ସଠିକ ତଦନ୍ତ କରାଯାଇ ନ୍ୟାୟ ଦିଆଯିବ: କ୍ରାଇମବ୍ରାଞ୍ଚ ଡିଜି

ନନ୍ଦିଘୋଷ ବ୍ୟୁରୋ: ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲାକୁ ନେଇ କ୍ରାଇମବ୍ରାଞ୍ଜ ଡିଜି ବିନୟତୋଷ ମିଶ୍ରଙ୍କ ସାମ୍ବାଦିକ ସମ୍ମିଳନୀ । କହିଲେ, ମାମଲାର ତଦନ୍ତ ଜାରି ରହିଛି । ଅନେକ କିଛି ସୁରାକ ମିଳିଛି । ଘଟଣାର ସଠିକ ତଦନ୍ତ କରାଯାଇ ନ୍ୟାୟ ପ୍ରଦାନ କରାଯିବ ।
ସେ କହିଛନ୍ତି, ମୃତ୍ୟୁ ଘଟଣାରେ ବହୁତ ଲୋକଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି । ସିସିଟିଭି ଯାଞ୍ଚ କରାଯିବା ସହ ଡିଜିଟାଲ ଏଭିଡେନ୍ସ ସଂଗ୍ରହ କରାଯାଇଛି । ଏବେ ବି ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ ଜାରି ରଖିଛି । ମାମଲାର ସଠିକ ତଦନ୍ତ ହେବ ଓ ନ୍ୟାୟ ମିଳିବ । ତଦନ୍ତରୁ ବହୁତ କିଛି ତଥ୍ୟ ମିଳିଛି । ତରତର ହେବାର ନାହିଁ, ସମସ୍ତଙ୍କୁ ନ୍ୟାୟ ମିଳିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ।
ବାଲେଶ୍ଵର ଗସ୍ତରେ ଯାଇ ପ୍ରଥମେ କ୍ରାଇମବ୍ରାଞ୍ଚ ତଦନ୍ତକାରୀ ଟିମ ସହିତ ଆଲୋଚନା କରିଥିଲେ ବିନୟତୋଷ । ପରେ ପୂର୍ବାଞ୍ଚଳ ଡିଆଇଜିଙ୍କ ଅଫିସରେ ଡିଆଇଜିଙ୍କ ସହିତ ଆଲୋଚନା କରିଥିଲେ । ଏହାପରେ ଫକୀର ମୋହନ କଲେଜରେ ପହଞ୍ଚି କ୍ରାଇମ ସ୍ପଟ ବୁଲି ଦେଖିଥିଲେ । ଘଟଣାସ୍ଥଳ ବୁଲିବା ପରେ ପ୍ରିନ୍ସିପାଲଙ୍କ ଚାମ୍ବରରେ କଲେଜ କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରିଥିଲେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ।