ଖରସ୍ରୋତା ନଦୀରେ ପୁଣି କୁମ୍ଭୀର ଆତଙ୍କ , ଆତଙ୍କିତ ଅବସ୍ଥାରେ ସ୍ଥାନୀୟ ବାସିନ୍ଦା
ନନ୍ଦିଘୋଷ ବ୍ୟୁରୋ : ଖରସ୍ରୋତା ନଦୀରେ ପୁଣି କୁମ୍ଭୀର ଆତଙ୍କ । ଯାଜପୁର ଜିଲ୍ଲା ବିଞ୍ଝାରପୁର ସ୍ଥିତ କଲ୍ୟାଣପୁର ନିକଟ ଖରସ୍ରୋତା ନଦୀରେ ଦେଖାଯାଇଛି କୁମ୍ଭୀର । ମାତ୍ରା ପନ୍ଦର ଦିନ ତଳେ କୁମ୍ଭୀର ପାଟିରେ ଯାଇଥିଲା ଜଣେ ମହିଳାଙ୍କ ଜୀବନ । ଯାହାକୁ ନେଇ ଆତଙ୍କିତ ଅବସ୍ଥାରେ ସ୍ଥାନୀୟ ବାସିନ୍ଦା । ଆଜି ସକାଳୁ କଲ୍ୟାଣପୁର ଅଂଚଳର କିଛି ଲୋକ ଶନିମନ୍ଦିର ନିକଟ ଖରସ୍ରୋତ ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ କୁମ୍ଭୀରଟି ତାଙ୍କ ଅତି ନିକଟରେ ଥିବା ଦେଖିବାକୁ ପାଇଥିଲେ । ସ୍ଥାନୀୟ ଅଂଚଳରେ କୁମ୍ଭୀର ବାରମ୍ବାର ଦେଖା ଯାଉଥିବା ବେଳେ ବନବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଂଚଳବାସୀ । ନଦୀକୁଳିଆ ଅଂଚଳବାସୀମାନେ ସେମାନଙ୍କ ନିତ୍ୟକାର୍ଯ୍ୟ ପାଇଁ ନଦୀ ଉପରେ ସମ୍ପୂର୍ଣ ନିର୍ଭରଶୀଳ । ଯଥାଶୀଘ୍ର ବନବିଭାଗ ପକ୍ଷରୁ କୁମ୍ଭୀରଟିକୁ ଧରିବା ପାଇଁ ଲୋକମାନେ ଦାବି କରିଛନ୍ତି ।
