କୋଭିଡ୍ ସମୟର ଯାତନା ମନେ ପକାଇଦେଲା କଟକ କର୍ଫ୍ୟୁ

ଚାରିଆଡେ ଶୂନଶାନ । ଜନଶୂନ୍ୟ ବଜାର, ରାସ୍ତାଘାଟ । କରୋନା ନୁହଁ କର୍ଫ୍ୟୁ ପାଇଁ କଟକରେ ମାଡିଯାଇଥିଲା କୋକୁଆ ଭୟ । ରୋଗ ନୁହଁ ସାମ୍ପ୍ରଦାୟିକ ହିଂସା ପାଇଁ ମନରେ ସୃଷ୍ଟି ହୋଇଥିଲା ଆତଙ୍କ । ପ୍ରଶାସନର ୩୬ ଘଣ୍ଟାର କଟକଣା ପରେ ସ୍ବାଭାବିକ ହୋଇଥିଲା ସ୍ଥିତି। ପୂର୍ବରୁ କଟକ ବିଶ୍ବକୁ ଦେଉଥିଲା ମଣିଷ ପଣିଆରା ସୁନ୍ଦର ବାର୍ତ୍ତା । ହେଲେ ଆତଙ୍କର ସେହି ସମୟ ଭାଇଚାରାର ସମ୍ପର୍କ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । କର୍ଫ୍ୟୁ କଟକଣା ମଣିଷକୁ ସେହି ମହାମାରୀ କରୋନାର ସମୟର ଯାତନାକୁ ମନେ ପକାଇଦେଇଥିଲା । ରାସ୍ତାଘାଟ ଜନଶୂନ୍ୟ ହୋଇପଡିଥିବା ବେଳେ ଏହାର ଫାଇଦା ନେଇଥିଲେ କଳାବଜାରୀ କରୁଥିବା ଲାଭଖୋର ବ୍ୟବସାୟୀ ।
ଏପଟେ କର୍ଫ୍ୟୁ ସାଙ୍ଗକୁ ଇଣ୍ଟରନେଟ ସେବା ବନ୍ଦ୍ ସିଧା ସଳଖ ପ୍ରଭାବ ପକାଇଥିଲା କ୍ଷୁଦ୍ର ବ୍ୟବସାୟୀଙ୍କ ଉପରେ । ନା ଖୋଲିଥିଲା ଦୋକାନ ନା ଆସୁଥିଲେ ଗରାଖ । ଯାହା ଫଳରେ କ୍ଷୁଦ୍ର ବ୍ୟବସାୟୀ ଟି ନିଜ ପରିବାର ପ୍ରତିପୋଷଣ କରିବା ପାଇଁ ଅକ୍ଷମ ହୋଇ ପଡ଼ିଲା । ସମୟ ବଦଳିଛି । ଏବେ ପରିସ୍ଥିତି ସୁଧୁରୁଛି । କିନ୍ତୁ ଛୋଟ ଛୋଟ ବ୍ୟବସାୟୀଙ୍କ ଭିତରେ ଭରି ଦେଇଛି ଭୋକ, ବେରୋଜଗାରର ଭୟ । ଏବେ ନିଜ ନିଜ କର୍ମ କ୍ଷେତ୍ରକୁ ପୁଣି ବାହାରି ପଡ଼ିଛନ୍ତି ସମସ୍ତେ । ପେଟପାଟଣ ପାଇଁ ପୁଣି ପରିଶ୍ରମକୁ ଆପଣାଇଛନ୍ତି କଟକବାସୀ ।