କଟକ: ଘରେ ପାଣି, ବାହାରେ ବି ପାଣି । ଶିଉଳି ଲାଗି ଖସଡ଼ା ହେଲାଣି ରାସ୍ତା । ଅଳିଆ ଆବର୍ଜନା ଯୋଗୁଁ ନାଳ ଜାମ୍ । ଲଗାଣ ବର୍ଷାରେ ବେହାଲ କଟକ ସହର । ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ଜମି ରହିବା ସହ ଘରେ ପଶିଲାଣି ପାଣି । ବିଶେଷ କରି ରାଉସାପାଟଣା, ତେଲେଙ୍ଗାବଜାର, ପୁରୁଣା ସେକ୍ରେଟାରିୟେଟ୍ ଗଳି, ପଟ୍ଟାପୋଲ, ସୂତାହାଟ, ଓଡ଼ିଆ ବଜାର, ସିଦ୍ଧେଶ୍ଵର ସାହିରେ ରାସ୍ତା ଉପରେ ପାଣି ଜମିଛି । କେତେକ ଅଞ୍ଚଳରେ ଲୋକଙ୍କ ଘରେ ପାଣି ପଶିଛି । ଘରର ସବୁ ଆସବାବପତ୍ର ଖଟ ଉପକୁ ଟେକି ବସି ରହିଛନ୍ତି ଲୋକେ । ଏଥିପାଇଁ କେଏମସି ଉପରେ ଅସନ୍ତୋଷ ଝାଡ଼ିଛନ୍ତି ସହରବାସୀ ।
ବନ୍ୟା ଯୋଗୁଁ ନଦୀରେ ବଢ଼ିଛି ପାଣି । ବଡ଼ନାଳ ଭର୍ତ୍ତି ହୋଇ ରହିଥିବାରୁ ନିଷ୍କାସନ ବ୍ୟବସ୍ଥା କଷ୍ଟକର ହୋଇଛି । ଅନେକ ନାଳରେ ଅଳିଆ ଆବର୍ଜନା ଜମି ରହିଥିବା ଯୋଗୁଁ ପାଣି ନିଷ୍କାସନ ହୋଇପାରୁନାହିଁ । ସେପଟେ ମେୟର କହିଛନ୍ତି, ସହରରେ ଜଳ ନିଷ୍କାସନ ପାଇଁ ୨୫୦ ମଟର ଓ ଭଲଭୋ ପମ୍ପ ଲଗାଯାଇଛି । ଜଳବନ୍ଦୀ ର ମୁକାବିଲା ପାଇଁ ପ୍ରଶାସନ ସଜାଗ ରହିଛି । ଅଧିକ ବର୍ଷା ଯୋଗୁଁ ଏପରି ସ୍ଥିତି ସୃଷ୍ଟି ହୋଇଛି । ବର୍ଷା ଛାଡ଼ିଗଲେ ପାଣି ବି ଛାଡ଼ିଯିବ ।ଦେଢ ମାସ ହେବ ପଛକୁ ପଛ ଲଘୁଚାପ ଓ ବର୍ଷା ଲାଗି ରହିଛି । ଆଗକୁ ଆଉ ଏକ ଲଘୁଚାପ ଆସୁଛି । ତେଣୁ ପ୍ରଶାସନ ଆଗୁଆ ପଦକ୍ଷେପ ନେବାକୁ ଲୋକେ ଦାବି କରିଛନ୍ତି ।

