ଅକ୍ଟୋବର ୨ରୁ ୧୫ତାରିଖ ଯାଏ କେନ୍ଦୁଝରରେ ଗଡ଼ିବ ସାଇବର୍ ସଚେତନତା ରଥ

କେନ୍ଦୁଝର : କେନ୍ଦୁଝରରେ ଆରମ୍ଭ ହେଲା ସାଇବର ସୁରକ୍ଷା ଅଭିଯାନ । ଅକ୍ଟୋବର ୨ ତାରିଖରୁ ୧୫ ତାରିଖ ଯାଏ କେନ୍ଦୁଝରରେ ଗଡ଼ିବ ସାଇବର୍ ସଚେତନତା ରଥ । ସଚେତନତା ରଥ ଜିଲ୍ଲା ପରିକ୍ରମା କରିବ ବୋଲି  ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେନ୍ଦୁଝର ଏସପି ନିତିନ କୁଶଲକର। ଜିଲ୍ଲାର ସମସ୍ତ ବ୍ଲକରେ ଏହି ରଥ ପରିକ୍ରମା କରିବ । ୧୫ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଆଶା, ଅଙ୍ଗନୱାଡି କର୍ମୀଙ୍କଠାରୁ ଆରମ୍ଭ କରି ସମାଜର ସବୁ ବର୍ଗର ଲୋକଙ୍କୁ ସାମିଲ୍ କରାଯିବ ।

ବିଭିନ୍ନ ପ୍ରତିଯୋଗିତା ଓ ଭିଡ଼ିଓ ପ୍ରଦର୍ଶନ ମାଧ୍ୟମରେ ଲୋକମାନେ କିଭଳି ଭାବେ ବିଭିନ୍ନ ସାଇବର୍ ଠକେଇରୁ ଦୂରେଇ ରହିବେ, ସେନେଇ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ରହିବ । କୌଣସି ମୁହୂର୍ତ୍ତରେ ସାଇବର ଠକାମୀର ଶିକାର ହେଉଥିବା ଅନୁଭବ କଲେ ତୁରନ୍ତ ୧୯୩୦ ସହାୟତା ନମ୍ବରକୁ ଯୋଗାଯୋଗ କରିପାରିବେ ବୋଲି ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି ।