ଗୁଜରାଟରେ ବିପର୍ଯ୍ୟୟର ରୌଦ୍ର ରୂପ ; ଦୁଇ ମୃତ, ୨୨ରୁ ଅଧିକ ଆହତ

1 min read

ଗାନ୍ଧୀନଗର: ଗୁଜରାଟରେ ବିପର୍ଯ୍ୟୟର ରୌଦ୍ର ରୂପ । ରାତି ୧୨ଟାରେ ଲ୍ୟାଣ୍ଡଫଲ ପରେ ତାଣ୍ଡବ ରଚିଲା ବାତ୍ୟା ପ୍ରଭାବରେ ଶହ ଶହ ଗଛ ଭାଙ୍ଗି ପଡ଼ିଥିବା ବେଳେ ଉଦ୍ଧାରକାରୀ ଟିମ୍ ରାସ୍ତା ସଫା କାର୍ଯ୍ୟରେ ଲାଗିଛନ୍ତି । ଅବିଶ୍ରାନ୍ତ ବର୍ଷା ଯୋଗୁ ଅନେକ ରାସ୍ତା ଜଳମଗ୍ନ ହୋଇଛି । ୯୪୦ ଗାଁରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଛି । ସମୁଦ୍ର ଉପକୂଳବର୍ତ୍ତୀ ଗାଁକୁ ଜୁଆର ମାଡ଼ି ଆସିବା ଯୋଗୁ ବନ୍ୟା ସ୍ଥିତି ଉପୁଜିଛି ।

ବର୍ଷା ଓ ବନ୍ୟାଜନିତ କାରଣରୁ ରାଜ୍ୟରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୨ଜଣ ଆହତ ହୋଇଛନ୍ତି । ସମୁଦ୍ର କୂଳଠାରୁ ୧୦କିମି ଦୂରରେ ରହିଥିବା ଅଞ୍ଚଳ ଅତ୍ୟଧିକ ପ୍ରଭାବିତ ହେଇଛି । ଏବେ ବି ଗୁଜରାଟରେ ବିପର୍ଯ୍ୟୟର ପ୍ରଭାବ ରହିଛି । ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା ପାଇଁ ସତର୍କତା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଆଜି ସୌରାଷ୍ଟ୍ର, କଚ୍ଛ, ନର୍ଥ ଗୁଜରାଟ ଓ ସାଉଥ ରାଜସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି ।

ପବନର ବେଗ ୯୦ରୁ ୧୦୦ କଲୋମିଟର ପର୍ଯ୍ୟନ୍ତ ରହିବ । କଚ୍ଛ, ଦ୍ବାରକା, ପୋରବନ୍ଦର, ରାମନଗର, ରାଜକୋଟ, ଜୁନାଗଡ଼ ଓ ମୋରବି ପାଇଁ ଆଲର୍ଟ ଜାରି କରାଯାଇଛି । ସମୁଦ୍ରରେ ଉଚ୍ଚ ଜୁଆର ମଧ୍ୟ ଉଠିବା ଆଶଙ୍କା ରହିଛି । ଆସନ୍ତାକାଲି ଦକ୍ଷିଣ-ପୂର୍ବ ରାଜସ୍ଥାନ ଓ ଉତ୍ତର ଗୁଜରାଟରେ ଅତି ପ୍ରବଳ ବର୍ଷା ହେବ ବୋଲି IMD ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ଗୁଜରାଟ, ମହାରାଷ୍ଟ୍ର ସମେତ ଲାକ୍ଷାଦ୍ବୀପ, କେରଳ, କର୍ଣ୍ଣାଟକ, ଆସାମ ଆଦି ୯ ରାଜ୍ୟରେ ବାତ୍ୟା ବିପର୍ଯ୍ୟୟର ପ୍ରଭାବ ପଡ଼ିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।