୧୫ ତାରିଖରେ ସ୍ଥଳଭାଗ ଛୁଇଁବ ବାତ୍ୟା, ଗୁଜରାଟରୁ ପାକିସ୍ତାନ ଯାଏଁ ହାଇଆଲର୍ଟ

1 min read

ନୂଆଦିଲ୍ଲୀ: ସାଇକ୍ଲୋନ ପାଇଁ ସତର୍କତା । ଗୁଜରାଟରୁ ପାକିସ୍ତାନ ଯାଏଁ ହାଇଆଲର୍ଟ । କେରଳ, ମହାରାଷ୍ଟ୍ରରେ ବି ବିପର୍ଯ୍ୟୟର ପ୍ରଭାବ ପଡ଼ିବ। ସମୁଦ୍ରରେ ଉଚ୍ଚ ଜୁଆର ସାଙ୍ଗକୁ ବିଭିନ୍ନ ସ୍ଥାନରେ ଜାରି ରହିଛି ଲଗାଣ ବର୍ଷା । ଆସନ୍ତା ୧୫ ତାରିଖରେ ସ୍ଥଳଭାଗ ଛୁଇଁବ ବାତ୍ୟା ବିପର୍ଯ୍ୟୟ ।

ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନରେ ପରିଣତ ହୋଇ ଆରବ ସାଗରରେ ସ୍ଥଳଭାଗ ଆଡକୁ ବଢୁଛି ବାତ୍ୟା । ସମୁଦ୍ର ଉପକୂଳ ଛୁଇଁବା ବେଳକୁ ବାତ୍ୟା ସାମାନ୍ୟ ଦୁର୍ବଳ ହୋଇଯିବ । ଅତି ଭୀଷଣ ବାତ୍ୟାରେ ପରିଣତ ହୋଇ ଲ୍ୟାଣ୍ଡ ଫଲ କରିବ ବାତ୍ୟା ବିପର୍ଯ୍ୟୟ । ସୌରାଷ୍ଟ୍ର-କଚ୍ଛ ଉପକୂଳ ତଥା ପାକିସ୍ତାନର କରାଚି ଉପକୂଳରେ ସାଇକ୍ଲୋନ ମାଡ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।

ଏବେ ପୋରବନ୍ଦରଠାରୁ ପ୍ରାୟ ୩ଶହ କିମି ଦୂର ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି ବାତ୍ୟା । ଏହା ଘଣ୍ଟା ପ୍ରତି ୫କିମି ବେଗରେ ସ୍ଥଳଭାଗ ଆଡକୁ ବଢୁଛି । ଲ୍ୟାଣ୍ଡଫଲ ପରେ ବାତ୍ୟା ପ୍ରଭାବରେ ଘଣ୍ଟା ପ୍ରତି ୧୨୫ରୁ ୧୩୦ କିମି ବେଗରେ ପବନ ବହିବା ସହ ଅତି ପ୍ରବଳ ବର୍ଷା ହେବ। ୧୫ ତାରିଖରେ ସୌରାଷ୍ଟ୍ର, କଚ୍ଛ ଜିଲ୍ଲା ପାଇଁ ରେଡ ଆଲର୍ଟ ଜାରି କରାଯାଇଛି । ୨୦ ମିମିରୁ ଅଧିକ ବର୍ଷା ଯୋଗୁ ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ରହିଛି ।

ବାତ୍ୟା ଉପକୂଳ ଛୁଇଁବା ସମୟରେ ସମୁଦ୍ରରେ ୨ରୁ୩ ମିଟର ଉଚ୍ଚ ଜୁଆର ଆସିପାରେ । ୧୬ ତାରିଖରେ ବାତ୍ୟା ନର୍ଥ ଗୁଜରାଟ ଓ ସାଉଥ ରାଜସ୍ଥାନ ଆଡ଼କୁ ଗତି କରିବ । ଫଳରେ ବିଭିନ୍ନ ଜିଲ୍ଲାରେ ୪୦ରୁ ୫୦ କିମି ପର୍ଯ୍ୟନ୍ତ ପବନ ଓ ପ୍ରବଳ ବର୍ଷା ହୋଇପାରେ । ସମ୍ଭାବ୍ୟ ବାତ୍ୟା ଯୋଗୁ ଗୁଜରାଟର ତଳିଆ ଅଞ୍ଚଳଗୁଡ଼ିକରେ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ ଓ ଆବଶ୍ୟକ ବ୍ୟବସ୍ଥା କରିବାକୁ ପିଏମଓ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ମହାରାଷ୍ଟ୍ରରେ ସମୁଦ୍ର ଅଶାନ୍ତ ସାଙ୍ଗକୁ ବର୍ଷା ଜାରି ରହିଥିବା ବେଳେ ପାଗ ଅନୁକୂଳ ନଥିବାରୁ ମୁମ୍ବାଇ ବିମାନବନ୍ଦରରୁ ଅନେକ ବିମାନ ବାତିଲ କରିଦିଆଯାଇଛି । ବାତ୍ୟା ପାଇଁ ରେଳବାଇ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । କିଛି ଟ୍ରେନକୁ ବାତିଲ କରାଯାଇଥିବା ବେଳେ କଣ୍ଟ୍ରୋଲ ରୁମ ଆକ୍ଟିଭେଟ କରାଯାଇଛି ବୋଲି ପଶ୍ଚିମ ରେଳବାଇ ସିପିଆରଓ ସୂଚନା ଦେଇଛନ୍ତି ।