ଗୁଜରାଟ ପରେ ରାଜସ୍ଥାନରେ ତାଣ୍ଡବ ରଚୁଛି ବାତ୍ୟା

ଜୟପୁର: ଗୁଜରାଟ ପରେ ରାଜସ୍ଥାନରେ ତାଣ୍ଡବ ରଚୁଛି ବାତ୍ୟା । ବିପର୍ଯ୍ୟୟ ପ୍ରଭାବରେ ଭୀଷଣ ବର୍ଷା ଜାରି ରହିଥିବା ବେଳେ ବାଡମେର ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି । ରାଜସ୍ଥାନର ମରୁଭୂମିରେ ବନ୍ୟା ଭଳି ସ୍ଥିତି ଉପୁଜିଛି । ଆରବ ସାଗରରେ ସୃଷ୍ଟ ବାତ୍ୟା ବିପର୍ଯ୍ୟୟ ପ୍ରଭାବରେ ଆଜି ବି ବର୍ଷା ଜାରି ରହିଛି । ପାଣିପାଗ ବିଭାଗ ପକ୍ଷରୁ ବାଡମେର, ଜାଲୋର, ସିରୋହି ଜିଲ୍ଲା ପାଇଁ ରେଡ୍ ଅଲର୍ଟ ଜାରି କରାଯାଇଛି । ସେହିପରି ଉଦୟପୁର,ଜୟପୁର, ଦୋଶା, ଅଲଓ୍ବର, କୋଟା ଆଦି ଜିଲ୍ଲା ପାଇଁ ୟେଲୋ ଅଲର୍ଟ ଜାରି କରାଯାଇଛି । ଭୀଷଣ ବର୍ଷା ଓ ପବନ ଯୋଗୁଁ ବଡ ବଡ ଗଛ ଭାଙ୍ଗି ରାସ୍ତାରେ ପଡିଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ବିଜୁଳି ଖୁଣ୍ଟ ଉପୁଡି ପଡିଥିବାରୁ ୫ ଶହରୁ ଅଧିକ ଗାଁ ଅନ୍ଧାରରେ ରହିଛି । ତଳିଆ ଅଞ୍ଚଳଗୁଡ଼ିରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏନଡିଆରଏଫ ଓ ସେନା ଯବାନମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଲୋକମାନଙ୍କ ଘରଭିତରେ ପାଣି ପଶିଯାଇଥିବା ବେଳେ ଅନେକ ଲୋକ ଛାତ ଉପରେ ଆଶ୍ରୟ ନେଇଛନ୍ତି । ସୋମବାର ଯାଏଁ ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ସେପଟେ ପାକିସ୍ତାନ ସୀମାବର୍ତ୍ତି ଅଂଚଳର ଗାଁ ଗୁଡିକରେ ଥିବା କଚ୍ଚା ଘର ଭାଙ୍ଗି ମାଟିରେ ମିଶିଯାଇଛି । ଯୁଦ୍ଧ କାଳୀନ ଭିତିରେ ଏନଡିଆରଏଫ, ଏସଡିଆରଏଫ ଟିମ୍ ଉଦ୍ଧାର କାମରେ ଲାଗିଥିଲେ ମଧ୍ୟ ମୁଶଳ ଧାରାରେ ବର୍ଷା ଓ ପବନର ବେଗ ଉଦ୍ଧାର କାର୍ଯ୍ୟରେ ବାଧକ ସାଜିଛି । ଅନ୍ୟପଟେ ଝଡତୋଫାନକୁ ଆଖିରେ ରଖି ୧୩ଟି ଟ୍ରେନକୁ ବାତିଲ କରି ଦିଆଯାଇଛି ।