ଦୁର୍ବଳ ହେଲା ’ଅସାନି’, ଆସନ୍ତାକାଲି ସକାଳ ସୁଦ୍ଧା ଅବପାତର ରୂପ ନେବ ବାତ୍ୟା

1 min read

ଭୁବନେଶ୍ୱର: ଆଜି ରାତିରେ ଗଭୀର ଅବପାତ ଏବଂ ଆସନ୍ତାକାଲି ସକାଳ ସୁଦ୍ଧା ଅବପାତର ରୂପ ନେବ ବାତ୍ୟା ଅସାନି । ବର୍ତ୍ତମାନ ଉତ୍ତର-ପଶ୍ଚିମ ଦିଗରେ ‘ଅସାନି’ ଗତ କରୁଛି । ଘଣ୍ଟାପ୍ରତି ୬ କିମି ବେଗରେ ବାତ୍ୟା ଗତି କରୁଛି । ଗୋପାଳପୁରଠାରୁ ଦକ୍ଷିଣ-ପଶ୍ଚିମରେ ୫୨୦ କିମି ଦୂରରେ କେନ୍ଦ୍ରୀଭୂତ । ପୁରୀଠାରୁ ଦକ୍ଷିଣ-ପଶ୍ଚିମରେ ୬୩୦ କିମି ଦୂରରେ କେନ୍ଦ୍ରୀଭୂତ ଅଛି ବାତ୍ୟା ଅସାନି । ମଚ୍ଛଲିପଟ୍ଟନମଠାରୁ ୪୦ କିଲୋମିଟର ଓ କାକିନାଡାଠାରୁ ୧୪୦ କିଲୋମିଟର ଦୂରରେ ରହିଛି ବାତ୍ୟା ଅସାନି ।

ଗତ ୬ ଘଣ୍ଟା ଧରି ୬ କିଲୋମିଟର ବେଗରେ ଆଗକୁ ବଢୁଛି ବାତ୍ୟା ଅସାନି । ମଧ୍ୟାହ୍ନ ସୁଦ୍ଧା ଆନ୍ଧ୍ରର ନର୍ସାପୁର, ୟନମ୍, କାକିନାଡା, ଟୁନି ଓ ବିଶାଖାପାଟ୍ଟନମ୍ ଉପକୂଳ ଦେଇ ପୁଣି ସମୁଦ୍ରରେ ଗତି କରିବ । କାକିନାଡାଠାରେ ପବନର ବେଗ ୭୦ରୁ ୮୦ କିଲୋମିଟର ରହିବ । ଏହା ପ୍ରଭାବରେ ଆଜି ଆନ୍ଧ୍ର ଉପକୂଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ।

ଓଡ଼ିଶା ଉପକୂଳଠାରୁ ବାତ୍ୟା ସମୁଦ୍ର ମଧ୍ୟରେ ବହୁ ଦୂରରେ ଅତିକ୍ରମ କରିବ । ସେତେବେଳକୁ ଏହା ଅବପାତର ରୂପ ନେଇସାରିଥିବ । ସେପଟେ ଆସନ୍ତା ୧୩ ତାରିଖରୁ ରାଜ୍ୟରେ ପାଗ ବଦଳିବ । ତେବେ ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ ବର୍ଷା । ବାତ୍ୟା ଦୁର୍ବଳ ହେଉଥିବାରୁ ରାଜ୍ୟରେ ଏହାର ବିଶେଷ ପ୍ରଭାବ ରହିବ ନାହିଁ । ବାତ୍ୟା ଦୁର୍ବଳ ହୋଇ କାଲି ଅବପାତର ରୂପ ନେବା ସମ୍ଭାବନା । ହେଲେ ଏହାର ପ୍ରଭାବରେ ରାଜ୍ୟର ୧୦ ଜିଲ୍ଲାରେ ବର୍ଷା ହେବା ନେଇ ସମ୍ଭାବନା ରହିଛି । ମାଲକାନଗିରି, କୋରାପୁଟ,ରାୟଗଡା, ଗଞ୍ଜାମ,ନବରଙ୍ଗପୁର, ଗଜପତି ,କେଉଁଝର, ମୟୁରଭଞ୍ଜଓ ପୁରୀରେ ବର୍ଷା ସମ୍ଭାବନା ରହିଛି ।

ଅନ୍ୟପଟେ ୧୨ ତାରିଖ ରାତି ଯାଏଁ ସମୁଦ୍ର ଅଶାନ୍ତ ରହିବ ଆସନ୍ତା କିଛି ଘଣ୍ଟାରେ ଓଡିଶା ଉପକୂଳବର୍ତ୍ତୀ ଜିଲ୍ଳାଗୁଡିକରେ ୪୦ରୁ ୫୦ କିମି ଏବଂ ଝଟକା ପବନ ୬୦ କିମି ବେଗରେ ପବନ ବହିପାରେ । ଗୋପାଳପୁର ବନ୍ଦର ପାଇଁ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଥିବା ବେଳେ ପୁରୀ, ଚାନ୍ଦବାଲି/ଧାମରା ଏବଂ ପାରାଦ୍ୱୀପ ବନ୍ଦର ପାଇଁ ୨ ନମ୍ବର ବିପଦ ସଂକେତ ଜାରି କରାଯାଇଛି ।