ରାତି ୨ଟାରେ କବାଟ ଭାଙ୍ଗି ବ୍ୟକ୍ତିଙ୍କୁ ଉଠାଇ ଆଣିଲା ପୋଲିସ, ମାରିଲା ନିସ୍ତୁକ ମାଡ଼

ଭଦ୍ରକ: ରାତି ଅଧରେ ଭଦ୍ରକ ଜିଲ୍ଲା ଆଗରପଡ଼ା ପୋଲିସର ଦବଙ୍ଗଗିରି । ରାତି ୨ଟାରେ କବାଟ ଭାଙ୍ଗି ଜଣେ ବ୍ୟକ୍ତିଙ୍କୁ ଉଠାଇ ନେଇ ବିଲ ମଝିରେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ । କ୍ଷତାକ୍ତ ଅବସ୍ଥାରେ ସିମୁଳିଆ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ଆଗରପଡ଼ା ପୋଲିସ ନାଁରେ ସିମୁଳିଆ ଥାନାରେ ଅଭିଯୋଗ କରିଛନ୍ତି ଆହତ କାଳନ୍ଦୀ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତରା ପଞ୍ଚାୟତ ନୂଆ ଗାଁର କାଳନ୍ଦୀ ଜେନାଙ୍କୁ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଅନ୍ୟ ଜଣେ ଅଭିଯୁକ୍ତ ବ୍ୟକ୍ତିଙ୍କୁ ଖୋଜିବା ଆଳରେ କାଳନ୍ଦୀ ଜେନାଙ୍କୁ ତାଙ୍କ ଶ୍ବଶୁର ଘର ଦେଖାଇବାକୁ କହି ଘରୁ ଜୋର ଜବରଦସ୍ତ ଉଠାଇ ନେଇଥିଲେ । ଏହାସହ ଅଶ୍ଳୀଳ ଭାଷା ପ୍ରୟୋଗ କରିଥିବା ନେଇ ଅଭିଯୋଗ କରିଛନ୍ତି କାଳନ୍ଦୀ । କାଳନ୍ଦୀଙ୍କ ସ୍ତ୍ରୀ ଏହାର ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଅଶ୍ଳୀଳ ଭାଷାରେ ପୋଲିସ ଗାଳି ଗୁଲଜ କରିବା ସହିତ ଧକ୍କା ମାରିଥିବା ଅଭିଯୋଗ ହୋଇଛି ।